ଜଗତସିଂହପୁର:ବଙ୍ଗୋବସାଗରରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଜଗତସିଂହପୁର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଜିଲ୍ଲାର ସମସ୍ତ ବିଡ଼ିଓ ଓ ତହସିଲଦାରଙ୍କୁ ଆଲର୍ଟ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷ ଭାବରେ ଏରସମା, ଆମ୍ବେକି, ଗଡ଼ ହରିଷପୁର ପାରାଦ୍ୱୀପର ଷଣ୍ଢକୁଦ ଆଦି ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି ।
ସେହିଭଳି ପାରାଦ୍ୱୀପ ମତ୍ସ୍ୟ ବିଭାଗ ପକ୍ଷରୁ ମାଛଧରା ବନ୍ଦରରେ ମତ୍ସଜୀବୀ ମାନଙ୍କୁ ସତର୍କ ରହିବାକୁ କୁହାଯିବା ସହ ଆସନ୍ତାକାଲି(ଶୁକ୍ରବାର) ସୁଦ୍ଧା ସମୁଦ୍ର ମଧ୍ୟକୁ ଯାଇଥିବା ମତ୍ସଜୀବୀ ମାନଙ୍କୁ ତୁରନ୍ତ ଫେରି ଆସିବାକୁ କୁହାଯାଇଛି । ମାଛଧରା ବନ୍ଦରରେ ନିଜର ଡଙ୍ଗାକୁ ସୁରକ୍ଷିତ ଭାବରେ ରଖିବାକୁ ମତ୍ସ୍ୟ ବିଭାଗ ପକ୍ଷରୁ ମତ୍ସଜୀବୀ ମାନଙ୍କୁ କୁହାଯାଇଛି । ସେହିପରି ଜିଲ୍ଲାରେ ବାତ୍ୟା ଆଶ୍ରୟ ସ୍ଥଳ ଗୁଡିକୁ ପ୍ରସ୍ତୁତ କରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହ ଶୁଖିଲା ଖାଦ୍ୟ, ପଲିଥିନ, କିରୋସିନ ଆଦି ମହଜୁଦ ରଖିବାକୁ ଜିଲ୍ଲାପାଳ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ସାମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି ।
ଏହା ମଧ୍ୟ ପଢନ୍ତୁ-Cyclone Sitrang: ବାତ୍ୟା ପ୍ରସ୍ତୁତି ନେଇ ଆଜି ସନ୍ଧ୍ୟାରେ ଗୁରୁତ୍ବପୂର୍ଣ୍ଣ ବୈଠକ