ଜଗତସିଂହପୁର: ପୁରୀ ଶ୍ରୀଜଗନ୍ନାଥଙ୍କ ମନ୍ଦିରର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ହେବାକୁ ଯାଉଛି । ଏଥିପାଇଁ ପ୍ରମୁଖ ଦେବାଦେବୀମାନଙ୍କ ନିକଟକୁ ନିମନ୍ତ୍ରଣ ପତ୍ର ପଠାଯାଉଛି। ଶ୍ରୀଜଗନ୍ନାଥ ମନ୍ଦିରର ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାର ଇଷ୍ଟଦେବୀ ମା' ଶାରଳାଙ୍କ ମନ୍ଦିରରେ ପହଞ୍ଚିଥିଲେ। ମନ୍ଦିର ପ୍ରଶାସନ ପକ୍ଷରୁ ପୁରୀରୁ ଆସିଥିବା ପ୍ରତିନିଧି ମଣ୍ଡଳୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ତେବେ ଶ୍ରୀକ୍ଷେତ୍ରରୁ ଆସିଥିବା ନିମନ୍ତ୍ରଣ ପତ୍ର ସହିତ ମହାପ୍ରଭୁ ମହାପ୍ରସାଦ ଓ ଆଜ୍ଞାମାଳ ମା' ଶାରଳାଙ୍କୁ ଅର୍ପଣ କରାଯାଇଛି। ସୂଚନା ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ପୁରୀରୁ 13 ଟି ଦଳ ବାହାରି ପ୍ରମୁଖ ମନ୍ଦିରକୁ ଯାଇ ନିମନ୍ତ୍ରଣ କାର୍ଯ୍ୟ ସମ୍ପାଦନ କରିଛନ୍ତି।
ସେହିପରି ଜଗତସିଂହପୁର ଜିଲ୍ଲାର ଅନ୍ୟତମ ଶ୍ରୀକ୍ଷେତ୍ର କୁଜଙ୍ଗର କୁଜ ବିହାରୀ ମନ୍ଦିରକୁ ସେବାୟତମାନେ ଯାଇ ସେଠାରେ ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ। ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ସହିତ କୁଜଙ୍ଗର କୁଜ ବିହାରୀ ମନ୍ଦିର ମଧ୍ୟରେ ଏକ ଐତିହାସିକ ସମ୍ପର୍କ ରହିଛି। ୧୫୬୮ରେ କଳାପାହାଡ଼ ଶ୍ରୀ ମନ୍ଦିର ଆକ୍ରମଣ କରି ଲୁଣ୍ଠନ କରିବା ପରେ ଶ୍ରୀ ବିଗ୍ରହଙ୍କୁ ହାତୀ ପିଠିରେ ଲଦି କୋଲକାତା ନେଇଥିଲା । ଆଉ ସେଠାରେ ଶ୍ରୀ ବିଗ୍ରହଙ୍କ ଦେହରେ ଅଗ୍ନି ସଂଯୋଗ କରି ଗଙ୍ଗା ନଦୀରେ ଫିଙ୍ଗି ଦେଇଥିଲା। ସେଠାରେ କୁଜଙ୍ଗର ବିସର ମହାନ୍ତି ନାମକ ଜଣେ ବ୍ୟକ୍ତି ମହାପ୍ରଭୁଙ୍କ ଭକ୍ତ ସେଠାରୁ ନିଜ ମୃଦଙ୍ଗ ମଧ୍ୟରେ ବ୍ରହ୍ମକୁ ନେଇ ଚାଲିଚାଲି କୁଜଙ୍ଗରେ ପହଞ୍ଚିଥିଲେ। ସେ ସମୟରେ ଜଙ୍ଗଲରେ ପରିପୂର୍ଣ୍ଣ ଥିବା ଏହି ସ୍ଥାନରେ ରଖି ପୂଜାର୍ଚ୍ଚନା କରିଥିଲେ।ସେହିଦିନ ଠାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନ୍ୟତମ ଗୁପ୍ତ ଶ୍ରୀକ୍ଷେତ୍ର ଭାବେ ଏହିସ୍ଥାନକୁ ବିବେଚିତ କରାଯାଏ।
ଏହା ମଧ୍ୟ ପଢନ୍ତୁ...ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ, କନ୍ଧମାଳରୁ 4 ସେବାୟତ ନିମନ୍ତ୍ରିତ