ଜଗତସିଂହପୁର: ଗଭୀର ସମୁଦ୍ରରେ ଜାହଜ ଅଚଳ ହୋଇପଡିଥିବାବେଳେ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ବାତ୍ୟା 'ହାମୁନ'ର ପ୍ରଭାବରେ ସମୁଦ୍ର ଗର୍ଭରେ ୪୦ ରୁ ୬୦ କିଲୋମିଟର ବେଗରେ ପ୍ରବଳ ପବନ ବହିବା ସହିତ ବର୍ଷା ମଧ୍ୟ ଲାଗି ରହିଥିଲା। ଏହାସହ ଜାହଜଟି ଏଣେତେଣେ ଗତି କରିବାକୁ ଲାଗିଥିବାବେଳେ ଭୟଭୀତ ହୋଇପଡିଥିଲେ ଯାତ୍ରୀ । ପରବର୍ତ୍ତୀ ସମୟରେ ତଟରକ୍ଷୀ ବାହିନୀ କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ ଫଳରେ ୨୫ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।
ପାରାଦ୍ୱୀପ ଗଭୀର ସମୁଦ୍ରରେ ଏକ ଜାହଜ ଠାବ ହେବାପରେ ଜାହଜକୁ ଉଦ୍ଧାର କରାଯାଇଛି। ସେହି ଜାହାଜରେ ଥିବା ୨୫ ଜଣ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଥିବା ତଟରଖି ବାହିନୀ ପକ୍ଷରୁ କୁହାଯାଇଛି। ମିଳିଥିବା ସୂଚନା ଅନୁସାରେ, ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ଏକ ଜାହାଜ 'କୌସ୍ତୁଭ' ପାରାଦ୍ୱୀପ ଅଭିମୁଖେ ଆସୁଥିବା ସମୟରେ ଗଭୀର ସମୁଦ୍ରରେ ଜାହାଜ ଇଞ୍ଜିନ କାମ କରିବା ବନ୍ଦ ହୋଇଯାଇଥିଲା। ଯାହାକୁ ନେଇ ପାରାଦ୍ୱୀପ ବନ୍ଦରକୁ ଜାହାଜ କ୍ୟାପଟେନ ଇଞ୍ଜିନ ଅଚଳ ସମ୍ପର୍କରେ ଜଣାଇଥିଲେ। ପାରାଦ୍ୱୀପ ବନ୍ଦର କର୍ତ୍ତୃପକ୍ଷ ଜାହାଜକୁ ସଚଳ କରିବା ପାଇଁ ଇଞ୍ଜିନିୟରଙ୍କୁ ପଠାଇଥିଲେ।
ହେଲେ ଜାହାଜ ତଳେ ଥିବା ଇଞ୍ଜିନରେ ରଶି ଗୁଡ଼ାଇ ହୋଇ ଯାଇଥିବାରୁ ସମୁଦ୍ର ମଧ୍ୟରେ ଜାହାଜକୁ ସଚଳ କରିବା ସମ୍ଭବ ହୋଇ ପାରିନଥିଲା। ପରେ ଜାହାଜର କର୍ମଚାରୀମାନେ ତଟରକ୍ଷୀ ବାହିନୀର ସହାୟତା ଲୋଡିଥିଲେ। 'INS ଅମୋଘ'କୁ ତଟରକ୍ଷୀ ବାହିନୀ ଘଟଣାସ୍ଥଳକୁ ପଠାଇଥିଲା। ଦୁର୍ଘଟଣାର ଶିକାର ହୋଇଥିବା ଜାହଜ ମଧ୍ୟରୁ ୨୫ ଜଣ କର୍ମଚାରୀଙ୍କୁ ଉଦ୍ଧାର କରିବା ସହ ଜାହଜ 'କୌସ୍ତୁଭ'କୁ ତଟରକ୍ଷୀ ବାହିନୀର ଜାହଜ ରଶି ଯୋଗେ ଟାଣିଟାଣି ପାରାଦ୍ୱୀପ ବନ୍ଦରକୁ ଆଣିଥିଲା। ଆଜି ସକାଳ ୭ଟା ସୁଦ୍ଧା ଜାହଜ ପାରାଦ୍ୱୀପ ବନ୍ଦରରେ ପହଞ୍ଚିଥିବା ବନ୍ଦର କର୍ତ୍ତୃପକ୍ଷଙ୍କଠାରୁ ଜଣାପଡ଼ିଛି।