ଜଗତସିଂହପୁର:କାର୍ତ୍ତିକ ମାସର ପରଦିନ ରାଜ୍ୟରେ ପାଳନ କରାଯାଏ ଛାଡ଼ଖାଇ (Chhadakhai) । ମାସ ସାରା ଆମିଷ ଭୋଜନକୁ ତ୍ୟାଗ କରିଥିବା ଶ୍ରଦ୍ଧାଳୁମାନେ ଏହି ଦିନରେ ଆମିଷ ଭୋଜନ କରିଥାନ୍ତି । ତେବେ ଛାଡ଼ଖାଇରେ ପଶୁହତ୍ୟା କରାଯାଏ । ତେବେ ପଶୁହତ୍ୟା ସର୍ବସମ୍ମୁଖରେ ହେବା ଯୋଗୁଁ ଯୁବପିଢି ନୃଶଂସ ପାଲଟିଯାଉଛନ୍ତି । ଫଳରେ ନରହତ୍ୟା କରିବାକୁ ପଛାଉ ନାହାନ୍ତି । ଏଥିଲାଗି ପଦ୍ମଶ୍ରୀ ବାବା ବଳିଆ ଚାରିକାନ୍ଥ ମଧ୍ୟରେ ଜୀବହତ୍ୟା କରିବାକୁ କହିଛନ୍ତି । ରାଜ୍ୟସରକାର ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ବାବା ବଳିଆ (Padmashree Baba Balia ) ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହେବେ ବୋଲି କହିଛନ୍ତି ।
ଏନେଇ ବାବା ବଳିଆ କହିଛନ୍ତି, "ବର୍ତ୍ତମାନ ସମାଜରେ ପଶୁ ପକ୍ଷୀ ମାନଙ୍କ ପ୍ରତି ଅତ୍ୟନ୍ତ ନିଷ୍ଠୁର ମନୋଭାବ ପୋଷଣ କରାଯାଉଛି। ପର୍ବପର୍ବାଣି ଆଳରେ ଅତି ନିର୍ମମ ଭାବେ ସେମାନଙ୍କୁ ରାସ୍ତାକଡ଼ରେ ହତ୍ୟା କରାଯାଉଛି। ଯଦିଓ ଏହା ଆଇନ ବିରୋଧୀ କାର୍ଯ୍ୟ ତଥାପି ସେହି ଆଇନକୁ ଭୃକ୍ଷେପ ନ କରି ଜୀବ ହତ୍ୟା କରାଯାଉଛି। ଦେଶରେ ଗୋ ହତ୍ୟା ନିରୋଧ ଆଇନ ଥିବାବେଳେ ଅନେକ ସ୍ଥାନରେ ଗୋରୁଗାଈଙ୍କୁ କଂସେଇ ଖାନାକୁ ଚାଲାଣ କରାଯାଇଛି। ଯାହା ଅତ୍ୟନ୍ତ ନିଷ୍ଠୁରତା ଓ ଆଇନ ବିରୋଧୀ । ଛେଳି ମେଣ୍ଢା ଓ କୁକୁଡ଼ାକୁ ସର୍ବ ସମ୍ମୁଖରେ ହତ୍ୟା କରାଯାଉଛି।"