ଜଗତସିଂହପୁର:ଜଗତସିଂହପୁରରେ ପୁଣି ଧଳା ଜହର ଆସର। ବ୍ରାଉନ ସୁଗାର କାରବାରକୁ ରୋକିବା ପାଇଁ ଅବକାରୀ ବିଭାଗ ନିୟମିତ ତତ୍ପରତା ଦେଖାଉଛି। ତଥାପି ସହର ଠାରୁ ପଲ୍ଲୀ ପର୍ଯ୍ୟନ୍ତ ବ୍ରାଉନସୁଗାର ବେପାରୀଙ୍କ ଚେର ଲମ୍ବିବାରେ ଲାଗିଛି।
ଆଜି(ଶୁକ୍ରବାର) ଜଗତସିଂହପୁର ଉପକଣ୍ଠ ଆଳିପିଙ୍ଗଳ ଓ କୋଶିଦା ଅଞ୍ଚଳରୁ ବିପୁଳ ପରିମାଣର ଧଳା ଜହର ଜବତ କରିଛି ଅବକାରୀ ବିଭାଗ। ଜିଲ୍ଲା ଅବକାରୀ ବିଭାଗ ଓ ଫ୍ଲାଇଙ୍ଗ ସ୍କ୍ୱାର୍ଡର ମିଳିତ ଚଢ଼ାଉରେ ସଦର ଉପକଣ୍ଠ ଆଳିପିଙ୍ଗଳ ଓ କୋଶିଦା ଗାଁ ନିକଟରୁ ପୃଥକ ପୃଥକ ଭାବେ ଦୁଇଜଣ ବ୍ରାଉନସୁଗାର ବ୍ୟାପାରୀଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ ନିକଟରୁ ମୋଟ ୪୭ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୪ଲକ୍ଷ ୭୦ ହଜାର ଟଙ୍କା ହେବବୋଲି ଜଣାପଡ଼ିଛି।