ଜଗତସିଂହପୁର:ଜଗତସିଂହପୁର ପୋଲିସକୁ ସଫଳତା । ପୋଲିସ ପଞ୍ଝାରେ ଦୁର୍ଦ୍ଦାନ୍ତ ଅପରାଧୀ । ଏକାଧିକ ଅପରାଧୀକ ମାମଲାରେ ସମ୍ପୃକ୍ତ ଥିବା ହାଡ଼କୋର ଅପରାଧୀ ସୂର୍ଯ୍ୟ ସ୍ୱାଇଁକୁ ଆଜି ଜଗତସିଂହପୁର ପୋଲିସ କାବୁ କରିବା ସହିତ ତା ନିକଟରୁ ଜୀବନ୍ତ ବୋମା ଶହ ବନ୍ଧୁକ ଜବତ କରିଛି । ଏନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଜି(ଶୁକ୍ରବାର) ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଆଳିପିଙ୍ଗଳ ପଞ୍ଚାୟତ ସାଳଜଙ୍ଗ ଗ୍ରାମର ରଞ୍ଜିତ ସ୍ୱାଇଁଙ୍କ ପୁଅ ସୂର୍ଯ୍ୟକାନ୍ତ ବିଭିନ୍ନ ସ୍ଥାନରୁ ଲୁଟ, ଦାଦାବଟି ଆଦାୟ ଓ ନିଶାଦ୍ରବ୍ୟ କାରବାର ଚଳାଇ ଆସୁଥିଲା । ଦାଦାବଟି ଆଦାୟ ସହିତ ବନ୍ଧୁକ ଦେଖାଇ ବିଭିନ୍ନ ସ୍ଥାନରୁ ଲୁଟ କରୁଥିଲା । ଏ ସମ୍ପର୍କରେ ଜଗତସିଂହପୁର ଥାନାରେ ଅଭିଯୋଗ ହେବାପରେ ଅପରାଧୀକୁ ଧରିବା ପାଇଁ ଜଗତସିଂହପୁର ପୋଲିସ ଜାଲ ବିଛାଇଥିଲା ।
ଏହାମଧ୍ୟ ପଢନ୍ତୁ..ନିଦ ହଜାଇ ଦେଇଥିଲା, କୁଖ୍ୟାତ ଚୋରକୁ ଧରିଲା ପୁରୀ ପୋଲିସ
ଅଭିଯୁକ୍ତ ସୂର୍ଯ୍ୟ ଦିନ ଦ୍ବିପ୍ରହରରେ ଏକ ବାଲି ବୋଝେଇ ଟ୍ରକର ଡ୍ରାଇଭରକୁ ବନ୍ଧୁକ ଦେଖାଇ ଦାଦାବଟି ଆଦାୟ କରୁଥିବା ବେଳେ ଛପି ରହିଥିବା ପୋଲିସ ତାକୁ କାବୁ କରିଛି । ଅଭିଯୁକ୍ତ ନିକଟରୁ 8ଟି ଜୀବନ୍ତ ବୋମା, ଏକ ବନ୍ଧୁକ, ଜୀବନ୍ତ ଗୁଳି ସହିତ ଏକ ମାରୁତି କାରକୁ ପୋଲିସ ଜବତ କରିଛି । ଗିରଫ ପରେ ଆଜି ସନ୍ଧ୍ୟାରେ ଅଭିଯୁକ୍ତ ପୋଲିସ କୋର୍ଟ ଚାଲାଣ କରିଛି । ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।