ଜଗତସିଂହପୁର: ରାଜ୍ୟରେ ବନ୍ୟା ସ୍ଥିତି ଅସମ୍ଭାଳ ହୋଇଛି । ଯେଉଁଆଡେ ଚାହିଁଲେ ଖାଲି ପାଣି ଆଉ ପାଣି । ଗାଁ, ଚାଷଜମି ଜଳମଗ୍ନ ହୋଇଛି । ବିଶେଷ କରି ଉପକୂଳବର୍ତ୍ତୀ ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ ଆଜି ଜିଲ୍ଲାରେ ସ୍ଥିତି ଗମ୍ଭୀର ହୋଇଛି । ଜଗତସିଂହପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ଉଦବେଗଜନକ ରହିଛି । ବିଶେଷ ଭାବରେ ଜିଲ୍ଲାର କୁଜଙ୍ଗ ବ୍ଲକ ଅଧିକ ପ୍ରଭାବିତ ହୋଇଛି ।
କୁଜଙ୍ଗ ବ୍ଲକର ଜିଲ୍ଲାନାସୀ ଓ ବଡ଼ ବାଲିକଣି, ସାଇଲୋ ଅଞ୍ଚଳରେ ଦୁଇଟି ଘାଇ ହୋଇଛି । ଘାଇ ହେବାରୁ 11 ଟି ପଞ୍ଚାୟତ ପ୍ରଭାବିତ ହୋଇଛି । ବନ୍ୟାଜଳ ସାନବାଲିଗଣି, ସରଳି, ହଂସୁରା, କାଠକୋଟ, ପଞ୍ଚାୟତରେ ଗତକାଲି ରାତିରେ ପାଣି ପଶି ଯାଇଛି । ଫଳରେ ଏହି ଗ୍ରାମ ଗୁଡିକ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ଜିଲ୍ଲାର 908 ଗ୍ରାମର ପ୍ରାୟ 1191 ଲୋକ ପ୍ରଭାବିତ ହୋଇଛନ୍ତି । 1068 ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । କେବଳ କୁଜଙ୍ଗ ବ୍ଲକର 1427 ହେକ୍ଟର ଚାଷଜମି ଉପରେ ବନ୍ୟାଜଳ ପ୍ରବାହିତ ହେଉଛି ।