ପାରାଦ୍ବୀପ :ମାଛ ଧରା ବୋଟ ବୁଡ଼ିଯିବା ଘଟଣା । ଏବେ ବି ନିଖୋଜ ୩ ମତ୍ସ୍ୟଜୀବୀ । ଗତ ମଙ୍ଗଳବାର ଅପରାହ୍ନରୁ ନିଖୋଜ ହେବା ପରେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ହୋଇଥିଲା । ଗତକାଲି ମଧ୍ୟ ଦିନ ତମାମ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ହୋଇଥିଲା । ହେଲେ ଏପର୍ଯ୍ୟନ୍ତ ସେମାନଙ୍କର କୌଣସି ପତ୍ତା ମିଳି ନଥିବା ଜଣାପଡ଼ିଛି ।
ସୂଚନା ମୁତାବକ, ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ମହାନଦୀ ମୁହାଣରେ ମାଆ ବାସୁଳେଇ ଭରସା ନାମକ ଏକ ମାଛଧରା ବୋଟ ଗତକାଲି ବୁଡ଼ିଯାଇଥିଲା । ଏହି ଘଟଣାରେ ନିଖୋଜ ଥିବା ତିନିଜଣ ଧୀବରଙ୍କର ପତ୍ତା ଗତକାଲି ସନ୍ଧ୍ୟା ପର୍ଯ୍ୟନ୍ତ ମଧ୍ୟ ମିଳିପାରି ନ ଥିଲା । ଯାହାକୁ ନେଇ ମତ୍ସ୍ୟଜୀବୀଙ୍କ ପରିବାର ଲୋକେ ଆଶା ଆଶଙ୍କାରେ ରହିଛନ୍ତି । ଗତ ମଙ୍ଗଳବାରଠାରୁ ତଟରଖି ବାହିନୀ ଓ ଓଡ୍ରାଫ୍ ଟିମ୍ ମହାନଦୀର ପ୍ରତିଟି ସ୍ଥାନରେ ତନ୍ନତନ୍ନ କରି ଯାଞ୍ଚ କରୁଛନ୍ତି । ହେଲେ ଏପର୍ଯ୍ୟନ୍ତ ନିଖୋଜ ତିନିଜଣଙ୍କର ପତ୍ତା ମିଳିପାରି ନାହିଁ । ତଟରଖି ବାହିନୀ ନିଖୋଜ ଧୀବରଙ୍କୁ ଖୋଜିବା ପାଇଁ ହେଲିକପ୍ଟର ଯୋଗେ ସମୁଦ୍ରର ୨୦ କିଲୋମିଟର ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସୂଚନା ପାଇ ନଥିଲେ । ସେହିପରି ଗତକାଲି ରାତି ୧୦ଟା ପର୍ଯ୍ୟନ୍ତ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଥିଲା ।