ଜଗତସିଂହପୁର : ଆଇଓସିଏଲର ଚାଲିଥିବା ଟ୍ରେନ ଲାଇନ କାର୍ଯ୍ୟରେ କିଛି ଲୋକ ୨ ଲକ୍ଷ ଟଙ୍କା ବଟି ମାଗିବା ସହିତ ବିଭିନ୍ନ ଯନ୍ତ୍ରାଂଶ ଭଙ୍ଗାରୁଜା କରିଥିବା ରେଲୱେ ଜିଆରପି ଥାନାରେ ମାମଲା ହୋଇଛି । ଏହି କାର୍ଯ୍ୟ କରୁଥିବା ଠିକାଦାରଙ୍କ ସୁପରଭାଜରଙ୍କ ସମେତ ଶ୍ରମିକ ମାନଙ୍କୁ ମାରଣାସ୍ତ୍ର ଦେଖାଇ ଧମକାଇବା ସହିତ ବଟି ନଦେଲେ କାମ କରିପାରିବ ନାହିଁ ବୋଲି ଚେତାବନୀ ଦିଆଯାଇଥିବା ଏତଲାରେ ଦର୍ଶାଯାଇଛି । ତେବେ ଏହାକୁ ଖଣ୍ଡନ କରିଛନ୍ତି ଠିକାଦାର ସଂଘ ।
ରଙ୍ଗିଆଗଡ ନିକଟରେ ହେଉଥିବା ଏହି ଟ୍ରେନ୍ ଲାଇନ କାର୍ଯ୍ୟ ଆଇଓସିଏଲ ପକ୍ଷରୁ ୟୁନାଇଟେଡ ରେଲ ରୋଡ କନ୍ସଲଟାଣ୍ଟ ନାମକ କମ୍ପାନୀକୁ ଦିଆଯାଇଛି । ଏହି କମ୍ପାନୀ ଗତ ତିନି ବର୍ଷ ହେଲା ସ୍ଥାନୀୟ କିଛି ଠିକାଦାରଙ୍କ ଦ୍ଵାରା କରାଉଥିଲେ ମାତ୍ର ସେମାନଙ୍କର ଲକ୍ଷାଧିକ ଟଙ୍କା ବାକି ରଖି ଅନ୍ୟ ଏକ ଠିକାଦାରଙ୍କୁ କାର୍ଯ୍ୟ ଦିଆଯାଇଛି । ଯାହାକୁ ବିରୋଧ କରିଥିଲେ ସ୍ଥାନୀୟ ଠିକାଦାର ସଂଘ । ଏ ସମ୍ପର୍କରେ ସେମାନେ ପ୍ରଥମେ ସମ୍ପୃକ୍ତ ଠିକାଦାରଙ୍କୁ ଚିଠି ଦ୍ବାରା ଜଣାଇବା ସହିତ ବକେୟା ଟଙ୍କା ନପାଇବା ପର୍ଯ୍ୟନ୍ତ କାମ ନକରିବାକୁ ଅନୁରୋଧ କରିଥିଲେ ।