ଓଡିଶା

odisha

By

Published : Apr 19, 2023, 7:38 PM IST

ETV Bharat / state

ବ୍ୟବହାର ଭୁଲିଯାଉଛନ୍ତି ସରକାରୀ ଅଫିସର, ଜଗତସିଂହପୁର ବିଡିଓଙ୍କ ବିରୋଧରେ ଏତଲା

କ୍ଷମତାର ବଶବର୍ତ୍ତୀ ହୋଇ ବ୍ୟବହାର ଭୁଲିଯାଉଛନ୍ତି ସରକାରୀ ଅଫିସର । ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ ଜଣେ କିରାଣୀଙ୍କୁ ନିଜ ପ୍ରକୋଷ୍ଠରେ କାନ ଧରି ବସଉଠ କରାଇବା ଘଟଣା ପରେ ଏବେ ବିଡିଓଙ୍କ ବିରୋଧରେ ଏତଲା ହୋଇଛି । ସୂଚନା ଅଧିକାରୀ କର୍ମୀ ଓ ତାଙ୍କ ଓକିଲଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ । ଅଧିକ ପଢ଼ନ୍ତୁ

ଜଗତସିଂହପୁର ବିଡିଓଙ୍କ ବିରୋଧରେ ଏତଲା
ଜଗତସିଂହପୁର ବିଡିଓଙ୍କ ବିରୋଧରେ ଏତଲା

ଜଗତସିଂହପୁର ବିଡିଓଙ୍କ ବିରୋଧରେ ଏତଲା

ଜଗତସିଂହପୁର: ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଜଗତସିଂହପୁର ଜିଲ୍ଲାରେ ଅମଲାତନ୍ତ୍ର ଶାସନ । କ୍ଷମତାର ବଶବର୍ତ୍ତୀ ହୋଇ ବ୍ୟବହାର ଭୁଲିଯାଉଛନ୍ତି ସରକାରୀ ଅଫିସର । ଗତ ସୋମବାର ଦିନ ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ ଜଣେ କିରାଣୀଙ୍କୁ ନିଜ ପ୍ରକୋଷ୍ଠରେ କାନ ଧରି ବସଉଠ କରାଇବା ଘଟଣା ଚର୍ଚ୍ଚାକୁ ଆସିଥିଲା । ଏହାର ଦିନକ ପରେ ଏବେ ଜଗତସିଂହପୁର ବିଡିଓଙ୍କ ବିରୋଧରେ ଜଣେ ସୂଚନା ଅଧିକାର କର୍ମୀ ଓ ତାଙ୍କ ଆଇନିଜୀବୀ ଦୁର୍ବ୍ୟବହାରର ଅଭିଯୋଗ ଆଣିଛନ୍ତି । ଏହା ସହିତ ଜଗତସିଂହପୁର ଥାନାରେ ବିଡିଓ ସାଗର ନନ୍ଦଙ୍କ ବିରୋଧରେ ଏତଲା ମଧ୍ୟ ଦେଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ସଭାମୂଳ ଗ୍ରାମର ସୂଚନା ଅଧିକାର କର୍ମୀ ଦେବେନ୍ଦ୍ର ଦାସ ତାଙ୍କ ଗ୍ରାମର ଅମୃତ ସରୋବର ଯୋଜନା ସମ୍ପର୍କରେ କିଛି ତଥ୍ୟ ମାଗିଥିଲେ । କିନ୍ତୁ ବ୍ଲକ ପ୍ରଶାସନ ପକ୍ଷରୁ ତାଙ୍କୁ ଧାର୍ଯ୍ୟ ସମୟ ମଧ୍ୟରେ ସୂଚନା ଦିଆ ଯାଇନଥିଲା । ଏନେଇ ସେ ଜନ ସୂଚନା ଅଧିକାରୀଙ୍କୁ ବାରମ୍ବାର ଭେଟିଥିଲେ ମଧ୍ୟ ସେ ତାଙ୍କ ସୂଚନା ଦେଇନଥିଲେ । ଫଳରେ ସୂଚନା ଅଧିକାର କର୍ମୀ ଜଗତସିଂହପୁର ବିଡିଓ ସାଗର ନନ୍ଦଙ୍କ ନିକଟରେ ଅପିଲ କରିଥିଲେ । ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଦେବେନ୍ଦ୍ରଙ୍କୁ ଚିଠି ମାଧ୍ୟମରେ ଶୁଣାଣି କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା ।

ସୂଚନା ଅଧିକାର କର୍ମୀ ଓ ତାଙ୍କ ଓକିଲ ଶକ୍ତିଧର ମିଶ୍ର ନିର୍ଦ୍ଧାରିତ ସମୟରେ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ । କିନ୍ତୁ ବିଡିଓ ତାଙ୍କୁ ବାହାରେ ଅପେକ୍ଷା କରିବାକୁ କହିଥିଲେ । ପ୍ରାୟ ୩୦ ମିନିଟ ଅପେକ୍ଷା କରିବା ପରେ ଦେବେନ୍ଦ୍ର ଓ ତାଙ୍କ ଓକିଲ ବିଡିଓଙ୍କୁ ଭେଟିଥିଲେ । ତେବେ ବିଡିଓ, ଦେବେନ୍ଦ୍ର ଓ ତାଙ୍କ ଓକିଲଙ୍କ କୌଣସି କଥା ଶୁଣିନଥିଲେ । ଏହାକୁ ନେଇ ବିଡିଓ ଏବଂ ଦେବେନ୍ଦ୍ରଙ୍କ ଓକିଲ ଶକ୍ତିଧରଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଯାହାକୁ ନେଇ ବିଡିଓ ଉଭୟଙ୍କୁ ଥାନାରେ ପଶି ମାଡ଼ ମାରିବାକୁ ଧମକ ଦେବାସହ ଦେବେନ୍ଦ୍ରଙ୍କୁ ଜାତିଆଣ ଆକ୍ଷେପ କରିଥିବା ଥାନାରେ ଅଭିଯୋଗ ହୋଇଛି । ବିଡିଓ ଉତ୍ତ୍ୟକ୍ତ ହୋଇ ଦେବେନ୍ଦ୍ରଙ୍କ ଓକିଲ ଶକ୍ତିଧରଙ୍କ ଉପରକୁ ଫାଇଲ ଫିଙ୍ଗିଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଜଗତସିଂହପୁର ବିଡିଓ ସାଗର ନନ୍ଦ ପ୍ରତିକ୍ରିୟାରେ କହିଛନ୍ତି, "ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ । ଏଥିରେ କୌଣସି ସତ୍ୟତା ନାହିଁ ।" ତେବେ ବିଡିଓଙ୍କ ଗାଳି ଗୁଳଜ ସମ୍ପର୍କରେ ଯେଉଁ ଅଡିଓ ଭାଇରାଲ ହେଉଛି, ସେ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ବିଡିଓ ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details