ଓଡିଶା

odisha

ETV Bharat / state

ନିଅଣ୍ଟିଆ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ପ୍ରଭାବିତ ହେଉଛି କୃଷି କାର୍ଯ୍ୟ

ଚାଷୀଙ୍କୁ ଘାରୁଛି ନିଅଣ୍ଟିଆ ବର୍ଷା ଚିନ୍ତା । ସ୍ବାଭାବିକ ଠାରୁ କମ ବର୍ଷା ପ୍ରଭାବରେ ପ୍ରଭାବିତ ଚାଷ । ସେପଟେ ଚାଷୀଙ୍କୁ 30 ଦିନରେ ଅମଳ ହେଉଥିବା ଧାନ ବିହନକୁ ଯୋଗାଇ ଦିଆଯିବ କହିଲେ କୃଷି ଅଧିକାରୀ ।ଅଧିକ ପଢନ୍ତୁ

ଚାଷୀଙ୍କୁ ଘାରୁଛି ନିଅଣ୍ଟିଆ ବର୍ଷା ଚିନ୍ତା
ଚାଷୀଙ୍କୁ ଘାରୁଛି ନିଅଣ୍ଟିଆ ବର୍ଷା ଚିନ୍ତା

By

Published : Jul 30, 2023, 10:48 PM IST

ଚାଷୀଙ୍କୁ ଘାରୁଛି ନିଅଣ୍ଟିଆ ବର୍ଷା ଚିନ୍ତା

ଜଗତସିଂହପୁର:ଶ୍ରାବଣ ସରିବାକୁ ବସିଲାଣି ହେଲେ ବର୍ଷା ଲୁଚକାଳି ଖେଳୁଛି । ଚାଷୀମାନଙ୍କ ପାଇଁ କାଳ ହୋଇଛି ନିଅଣ୍ଟିଆ ବର୍ଷା ।ଜଗତସିଂହପୁର ଜିଲ୍ଲାରେ ସମ୍ପ୍ରତି ନିଅଣ୍ଟିଆ ବର୍ଷା ଚାଷ କାର୍ଯ୍ୟକୁ ପ୍ରଭାବିତ କରିଛି । ଶ୍ରାବଣ ଶେଷ ସୁଦ୍ଧା ବିଲରେ ହଳ ସରି କାଦୁଅ ପରେ ତଳି ରୁଆ ସରିଯିବା କଥା, ହେଲେ ତଳିରୁଆତ ଦୂରର କଥା ଆଜି ପର୍ଯ୍ୟନ୍ତ ବିଲରେ ହଳ ହୋଇ ପାରିଲା ନାହିଁ । ହଜାର ହଜାର ହେକ୍ଟର ଚାଷଜମି ଏବେ ପଡିଆ ପଡିଛି । ଚଳିତ ବର୍ଷ ବର୍ଷାର ଅଭାବ ସାଙ୍ଗକୁ ତାଳଦଣ୍ଡା ଓ ମାଛଗାଁ କେନାଲରେ ପାଣି ବିଳମ୍ବରେ ଆସିବାରୁ ଚାଷ କାର୍ଯ୍ୟରେ ବିଳମ୍ବ ହୋଉଥିବା ଚାଷୀ କହିଛନ୍ତି । ଜିଲ୍ଲା ଜଳସେଚନ ବିଭାଗ ଓ ଜିଲ୍ଲା କୃଷି ବିଭାଗର ସମନ୍ୱୟ ଅଭାବରୁ ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ଚାଷୀ ।

ଚାଷୀ ଅଭିଯୋଗ କରିଛନ୍ତି ଯେ, ଜଳସେଚନ ବିଭାଗ ପକ୍ଷରୁ ଜୁଲାଇ ମାସ 15 ତାରିଖ ପୂର୍ବରୁ ମାଛଗାଁ ଓ ତାଳଦଣ୍ଡା କେନାଲକୁ ସଫା କରାଯିବା ସହିତ ଜୁଲାଇ 15 ପୂର୍ବରୁ ନାଳରେ ପାଣି ଛାଡ଼ିବା କଥା । କିନ୍ତୁ ଜଳସେଚନ ବିଭାଗ ଜୁଲାଇ 15 ପର୍ଯ୍ୟନ୍ତ ମଧ୍ୟ ନାଳ ସଫା କରି ନଥିଲା । ଏପରିକି ନାଳବନ୍ଧର ସ୍ଥିତି ନପରଖି ଜୁଲାଇ16 ତାରିଖରେ 5ଶହ କ୍ୟୁସେକ୍‌ ଜଳ ଛାଡ଼ି ଦିଆଯାଇଥିଲା । ଫଳରେ ମାଛଗାଁ କେନାଲ୍‌ଟି ତରିକୁନ୍ଦ ଓ ଦଳେଇ ଘାଇ ନିକଟରେ ବନ୍ଧ ଭାଙ୍ଗି ଜଳାର୍ଣ୍ଣବ ହେଲା । ବନ୍ଧର ମରାମତି ପାଇଁ ବିଭାଗ ପକ୍ଷରୁ ପ୍ରାୟ 8ରୁ 10 ଦିନ ଲାଗିଗଲା । ଫଳରେ ଚାଷ କାର୍ଯ୍ୟ ଆହୁରି ବିଳମ୍ବ ହେଲା ।

ଅଧିକ ପଢନ୍ତୁ: ନିଅଣ୍ଟିଆ ବର୍ଷା ଆଣିଲା ମରୁଡ଼ି ଆଶଙ୍କା, ରାୟଗଡାରେ ପଡିଆ ପଡିଛି ଚାଷ ଜମି

ଜିଲ୍ଲା କୃଷି ଅଧିକାରୀ ନବ କିଶୋର ମହାପାତ୍ର କହିଛନ୍ତି, "ଜଗତସିଂହପୁର ଜିଲ୍ଲାରେ ମୋଟ 1ଲକ୍ଷ 5 ହଜାର ହେକ୍ଟର ଚାଷଜମି ଥିବାବେଳେ ସେଥିରୁ 84 ହଜାର 200 ଶହ ହେକ୍ଟର ଚାଷ ଜମିରେ ଧାନଚାଷ କରାଯାଇଥାଏ । ସେଥି ମଧ୍ୟରୁ 40 ପ୍ରତିଶତ ଜମି କେନାଲ ଦ୍ୱାରା ଜଳ ସେଚିତ ହେଉଥିବା ବେଳେ ଅବଶିଷ୍ଟ ବର୍ଷାଜଳ ଉପରେ ନିର୍ଭର କରିଥାଆନ୍ତି । ଚଳିତ ବର୍ଷ ଅନିଅମିତ ବର୍ଷା ସାଙ୍ଗକୁ କେନାଲ ଓ ଏହାର କାଡ଼ାନାଳ ଗୁଡ଼ିକରେ ପାଣିର ଅଭାବ ଯୋଗୁଁ ଚାଷ କାମ ବହୁ ପଛରେ ପଡିଛି । ଜିଲ୍ଲାରେ ଅସ୍ୱାଭାବିକ ବର୍ଷା ଯୋଗୁଁ ଚାଷ ପ୍ରଭାବିତ ହୋଇଛି । ତଥାପି କୃଷି ବିଭାଗ ଏହା ଉପରେ ନଜର ରଖିଛି । କେନାଲରେ ପାଣି ଆସିଲାଣି । ଆଗକୁ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି । ଯଦି ଚାଷ କାମ ଆଉ କିଛିଦିନ ବିଳମ୍ବ ହୁଏ ତେବେ ଚାଷୀମାନଙ୍କ ପାଇଁ 30 ଦିନରେ ଅମଳ ହେଉଥିବା ଧାନ ବିହନକୁ ଯୋଗାଇ ଦିଆଯିବ ।"

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details