ଓଡିଶା

odisha

ETV Bharat / state

ଜିଲ୍ଲାପାଳ ଅଫିସ ଆଗରେ ଧାନ ଢାଳିଲେ ଚାଷୀ, ଉଠାଇ ନେଲା ପୋଲିସ

ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବସ୍ତା ବସ୍ତା ଧାନ ଢାଳି ଆନ୍ଦୋଳନ କଲେ ଚାଷୀ । ଆନ୍ଦୋଳନକାରୀଙ୍କୁ ଉଠାଇ ନେଲା ପୋଲିସ । ଅଧିକ ପଢନ୍ତୁ

By

Published : Jan 19, 2023, 1:16 PM IST

Updated : Jan 19, 2023, 2:16 PM IST

ଜଗତସିଂହପୁରରେ ଚାଷୀ ଆନ୍ଦୋଳନ
ଜଗତସିଂହପୁରରେ ଚାଷୀ ଆନ୍ଦୋଳନ

ଜଗତସିଂହପୁରରେ ଚାଷୀ ଆନ୍ଦୋଳନ

ଜଗତସିଂହପୁର: ବିଲରୁ ଫସଲ ଅମଳ କରି ବାଡିକୁ ଆଣିଛି ଚାଷୀ । ଧାର କରଜରେ ଧାନ ଚାଷ କରିଥିବା ଗରୀବ ଚାଷୀ ଏବେ ଏହାକୁ ବିକ୍ରି କରି ଦୁଇ ଟଙ୍କା ରୋଜଗାରର ଆଶା ରଖିଛି । ଏପରି ସ୍ଥିତିରେ ବିଭିନ୍ନ ସ୍ଥାନରେ ମଣ୍ଡି ଖୋଲିବାରେ ବିଳମ୍ବ ଏବଂ ମଣ୍ଡିରେ କଟନୀ ଛଟନୀ ଚାଷୀଙ୍କ ସମସ୍ୟା ବଢାଇଛି । ଜଗତସିଂହପୁର ଜିଲ୍ଲାରେ ମଧ୍ୟ ଏହି ମଣ୍ଡି ସମସ୍ୟା ଦେଖିବାକୁ ମିଳିଛି । ଯାହାକୁ ନେଇ ଜିଲ୍ଲାର ଅନେକ ଅସନ୍ତୋଷ ଚାଷୀ ଏବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।

ସେମାନେ ନିଜର କଷ୍ଟ ଉପାର୍ଜିତ ଧାନ ଫସଲକୁ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଢାଳି ଜିଲ୍ଲା ପ୍ରଶାସନର ଦାୟିତ୍ବହୀନତା ବିରୁଦ୍ଧରେ ପ୍ରତିବାଦ କରୁଛନ୍ତି । ଆଜି ସକାଳୁ ଜଗତସିଂହପୁର ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଏହି ଚାଷୀ ଆନ୍ଦୋଳନ ଦେଖିବାକୁ ମିଳିଛି । କେହି କିଛି ବୁଝିବା ପୂର୍ବରୁ ସକାଳ ୭ଟା ସମୟରେ ୨୦ରୁ ୨୫ ଜଣ ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ଏହାସହିତ ନିଜ ସହ ଆଣିଥିବା ବସ୍ତା ବସ୍ତା ଧାନକୁ ସେହିଠାରେ ଢାଳିଥିଲେ ।

ଏହି ଆନ୍ଦୋଳନରତ ଚାଷୀମାନେ ଅଭିଯୋଗ କରିଛନ୍ତି ଯେ, ''ଜିଲ୍ଲାରେ ମଣ୍ଡି ଖୋଲିବାରେ ବିଳମ୍ବ ହେଉଛି । ଯାହା କିଛି ମଣ୍ଡି ଖୋଲିଛି ସେଥିରେ କ୍ବିଣ୍ଟାଲ ପିଛା ୫ କେଜିରୁ ଅଧିକ ଧାନ କଟନୀ ଛଟନୀ ହେଉଛି । ଜିଲ୍ଲା ପ୍ରଶାସନ ଏ ସମ୍ପର୍କରେ ଜାଣି ମଧ୍ୟ ଚୁପ୍ ବସୁଛି । '' ମଣ୍ଡି ସମସ୍ୟା ପାଇଁ ସେମାନେ ଜିଲ୍ଲାପାଳଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି । ଜିଲ୍ଲାପାଳ କାହିଁକି ମଣ୍ଡି ପରିଦର୍ଶନ ପାଇଁ ଯାଉନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ଚାଷୀ ।

ତେବେ ଆଜି ଆନ୍ଦୋଳନ ପୂର୍ବକ ଚାଷୀମାନେ ଜିଲ୍ଲାପାଳ କାର୍ଯ୍ୟାଳୟରେ ଧସେଇ ପଶିବାକୁ ଚେଷ୍ଟା କରିଥିଲେ । ସେଠାରେ ମୁତୟନ ଦୁଇ ପୋଲିସ କର୍ମଚାରୀ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ହେଁ ବିଫଳ ହୋଇଥିଲେ । ତେଣୁ ବାଧ୍ୟ ହୋଇ ସେମାନେ ଥାନାକୁ ଖବର ଦେଇଥିଲେ । ଖବର ପାଇ ଏସଡିପିଓ ଓ ଜଗତସିଂହପୁର ଆଇଆଇସି ଶୁଭ୍ରାଂଶୁ ପରିଡା ଘଟଣା ସ୍ଥଳରେ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ । ହେଲେ ଓଲଟା ପୋଲିସ ଓ ଚାଷୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା ।

ଏହାପରେ ପୋଲିସ ଚାଷୀମାନଙ୍କୁ ଥାନାକୁ ଉଠାଇ ନେଇଛି । ଅନ୍ୟପଟେ ଯେ ପର୍ଯ୍ୟନ୍ତ ଚାଷୀମାନଙ୍କ ସମସ୍ୟାର ସମାଧାନ ନହୋଇଛି ସେ ପର୍ଯ୍ୟନ୍ତ ପ୍ରତି ପଞ୍ଚାୟତରେ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

Last Updated : Jan 19, 2023, 2:16 PM IST

ABOUT THE AUTHOR

...view details