ଜଗତସିଂହପୁର: ଇଟିଭି ଭାରତରେ ବାଜିଲା ଖବର ଆଉ ଦୁଃଖରେ ଦିନ କାଟୁଥିବା 70 ଦଶକର ଅଭିନେତ୍ରୀ ସାଗାରବାଳାଙ୍କୁ ମିଳିଲା ସହାୟତା । ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଅଁଳା ପଞ୍ଚାୟତ ମକରପୁର ଗ୍ରାମର ସାଗରବାଳା ପଟ୍ଟନାୟକ ଓରଫ ବାସନ୍ତି ଅପା । 70 ଦଶକରେ ଅନ୍ନପୂର୍ଣା-ବି ଗ୍ରୁପରେ ହିରୋଇନ ସାରା ଓଡ଼ିଶାରେ ସେ ସମୟରେ ଚହଳ ସୃଷ୍ଟି କରିଥିଲେ । ଏବେ ବୟସର ଅପରାହ୍ନରେ ନିଜ ଗାଁ ମୁଁଣ୍ଡରେ ଏକ ନୂଆଣିଆ ଚାଳଘରେ ଚା’ ବିକି ଜୀବନ ଯାପନ କରୁଥିଲେ । ଏ ନେଇ ପ୍ରଥମେ ‘ଇଟିଭି ଭାରତ’ରେ ଖବର ପ୍ରସାରିତ ହୋଇଥିଲା । ଖବର ପ୍ରସାରଣ ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ କୁମାର ଜେନା ସାଗରବାଳା ପଟ୍ଟନାୟକଙ୍କ ଘରକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହିତ କଳାକାର ତାଙ୍କୁ ସମସ୍ତ ସହାୟତା ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ଜିଲ୍ଲା ସଂସ୍କୃତି ଅଧିକାରୀ ଗଣମାଧ୍ୟମରୁ ବାସନ୍ତି ଅପାଙ୍କ ବାବଦରେ ଜାଣି ତାଙ୍କୁ ଭେଟିଥିଲେ । ସାଗରବାଳାଙ୍କ ସମସ୍ୟା ବିଷୟରେ ଆଲୋଚନା କରିବା ସହ ଭତ୍ତା ବାବଦରେ କାଗଜ ପତ୍ର ଯାଞ୍ଚ କରିଛନ୍ତି ଜିଲ୍ଲା ସଂସ୍କୃତି ଅଧିକାରୀ । ସାଗରବାଳା ପଟ୍ଟନାୟକ ଓରଫ ବାସନ୍ତି ଅପାଙ୍କୁ କିଭଳି ସରକାରୀ ସହାୟତା ପ୍ରଦାନ କରାଯିବ ସେ ନେଇ ଆଲୋଚନା କରିବା ସହ ଆସନ୍ତା ମାସ ସୁଦ୍ଧା ତାଙ୍କୁ କଳାକାର ଭତ୍ତା ପ୍ରଦାନ କରାଯିବ ବୋଲି ସେ କହିଛନ୍ତି । ଜିଲ୍ଲା ସଂସ୍କୃତି ଅଧିକାରୀ କହିଛନ୍ତି, ''ଇଟିଭି ଭାରତ ଜରିଆରେ ଜିଲ୍ଲାର ଜଣେ କଳାକାର ବାସନ୍ତି ଅପାଙ୍କ ବିଷୟରେ ଜାଣିବାକୁ ପାଇଥିଲୁ । ସେ ଜଣେ ଭଲ କଳାକାର । ଆଜି ତାଙ୍କୁ ଭେଟିଛୁ । ତାଙ୍କର ସମସ୍ତ କାଗଜପତ୍ର ଯାଞ୍ଚ କରିଛୁ । ସବୁ ତଥ୍ୟ ମଧ୍ୟ ନେଇଛୁ । ଖୁବଶୀଘ୍ର ତାଙ୍କୁ କଳାକାର ଭତ୍ତା ପ୍ରଦାନ କରାଯିବ ।'' ବାସନ୍ତି ଅପାଙ୍କୁ ସହାୟତା ହାତ ବଢିବା ପରେ ସେ ଖୁସି ବ୍ୟକ୍ତ କରିଛନ୍ତି । ‘ଇଟିଭି ଭାରତ’କୁ ଧନ୍ୟବାଦ ଦେଇଛନ୍ତି ସାଗରବାଳା । ଏବେ ସେ ବହୁତ ଖୁସି ଥିବା କହିଛନ୍ତି ।