ପାରାଦୀପ:ସହରରେ ପ୍ରସ୍ତାବିତ ଏସାର ମିନମେଟ୍ ଗ୍ରୀନ୍ ଫିଲ୍ଡ ପେଲେଟ ପ୍ଲାଣ୍ଟକୁ ପାରାଦୀପବାସୀଙ୍କ ବିରୋଧ । ସ୍ଥାନୀୟ ବାଉରୀଆପାଳଦା ନିକଟରେ ହେବାକୁ ଥିବା ଏହି ପ୍ରକଳ୍ପ ପାଇଁ ପରିବେଶ ମଞ୍ଜୁରୀ ସଂକ୍ରାନ୍ତୀୟ ଜନଶୁଣାଣି ପାରାଦୀପ ପୌରପାଳିକା କଲ୍ୟାଣ ମଣ୍ଡପରେ ଆୟୋଜିତ ହୋଇଥିଲା । କିନ୍ତୁ ଏହି ଜନ ଶୁଣାଣି ଶିବିରରେ ସ୍ଥାନୀୟ ବାସିନ୍ଦାଙ୍କ ପ୍ରବଳ ବିରୋଧ ଦେଖାଯାଇଛି ।
ମୋଟ 14 ମିଲିୟନ ମେଟ୍ରିକ ଟନ୍ ବାର୍ଷିକ କ୍ଷମତା ବିଶିଷ୍ଟ ହେବାକୁ ଥିବା ଏହି ପ୍ରକଳ୍ପ 40.49 ହେକ୍ଟର (ପ୍ରାୟ ୧୫୦ ଏକର) ଜାଗାରେ ସ୍ଥାପନ କରାଯିବ ଓ ବର୍ଷକୁ ଆନୁମାନିକ 15.05 ମିଲିୟନ ମେଟ୍ରିକ୍ ଟନ୍ କଞ୍ଚାମାଲ୍ ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । କିନ୍ତୁ ସ୍ଥାନୀୟ ବସ୍ତିରେ କିଛି ସୂଚନା ଦିଆଯାଇନଥିବା ଅଭିଯୋଗ ହୋଇଛି।
ଏହାମଧ୍ୟ ପଢନ୍ତୁ:ପାରାଦୀପରେ ପେଟ୍ରୋ କେମିକାଲ ପ୍ରକଳ୍ପ ପାଇଁ ଜନ ଶୁଣାଣି
ଏହି ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ହେଲେ ପାରାଦୀପ ୱାଟର ରିଜର୍ଭର ସମ୍ପୂର୍ଣ୍ଣ ଭାବେ ପ୍ରଦୂଷିତ ହେବ ବୋଲି ଲୋକ ମାନେ ପ୍ରକାଶ କରିଛନ୍ତି । ଆଜି(ଗୁରୁବାର) ଜନଶୁଣାଣୀ ଶିବିରରେ ଲୋକ ମାନେ ଗୋ ବ୍ୟାକ୍ ନାରା ଦେଇ ଏହି ପ୍ରକଳ୍ପକୁ ବନ୍ଦ କରିବା ପାଇଁ ଅଡିବସିଥିଲେ । ଅନ୍ୟପଟେ କିଛି ଲୋକେ ବିଭିନ୍ନ ଦାବି ସମ୍ପର୍କରେ ମଧ୍ୟ ପ୍ରସ୍ତାବ ରଖିଥିଲେ । ଆୟୋଜିତ ଜନଶୁଣାଣି ଶିବିର ଚାଲିଥିବା ସମୟରେ ପାରାଦୀପ ନାଗରିକ ମଞ୍ଚର ସଦସ୍ୟ ମାନେ ପହଞ୍ଚି ବିରୋଧ କରିବାରୁ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା ।