ଜଗତସିଂହପୁର: ଦୀର୍ଘ ୧୫ ଦିନ ହେଲା କଟକ ବଡ଼ ମେଡିକାଲରୁ ନିଖୋଜ ହୋଇଯାଇଛନ୍ତି 80 ବର୍ଷ ବୟସ୍କ ଗନ୍ଧର୍ବ ଜେନା। ପରିବାର ପକ୍ଷରୁ ଏ ସମ୍ପର୍କରେ କୁଜଙ୍ଗ ଥାନାରେ ଏତଲା ଦେବା ସହିତ କଟକ ଦୌଡି ଦୌଡି ନୟାନ୍ତ ହେଲିଣି। ମାତ୍ର ତାଙ୍କର କୌଣସି ସୂଚନା ମିଳି ପାରୁ ନାହିଁ। ଯାହାକୁ ନେଇ ପରିବାର ଏବେ ଚିନ୍ତାରେ।
କଟକ ବଡ଼ ମେଡିକାଲ କୋଭିଡ ହସ୍ପିଟାଲରୁ ବୃଦ୍ଧ ନିଖୋଜ ଘଟଣା, ଚିନ୍ତାରେ ପରିବାର ଗତ ମେ ମାସ ୧୪ ତାରିଖରେ ବୃଦ୍ଧ ଜଣକ କୋରୋନା ପଜିଟିଭ ଚିହ୍ନଟ ହୋଇ ଘରେ ହୋମ ଆଇସୋଲେସନରେ ଥିଲେ, ହେଲେ ୧୭ ତାରିଖରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପାରାଦ୍ଵୀପ କୋଭିଡ ହସ୍ପିଟାଲକୁ ନିଆଯାଇଥିଲା। ପରେ ତାଙ୍କୁ ୨୧ ତାରିଖ ରାତିରେ କଟକ ଏସିବି ପଠା ଯାଇଥିଲା ଏବଂ ୨୨ ତାରିଖରେ ତାଙ୍କର କଟକରେ ଆଡ଼ମିଶନ କରାଯାଇଥିବା ରେଜିଷ୍ଟ୍ରାରରେ ଉଲ୍ଲେଖ ରହିଛି।
ମାତ୍ର ଏହା ପରେ ତାଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରୁ ନାହିଁ। ଗତ ୩୦ ତାରିଖରେ କୁଜଙ୍ଗ ଥାନାରେ ଏତେଲା ଦେଇଥିଲେ ଗନ୍ଧର୍ବଙ୍କ ଝିଅ । ମାତ୍ର ପୋଲିସ କେବଳ ଏତଲା ରଖି ବସିଯାଇଥିବା ବେଳେ, କରୋନା ପଜିଟିଭ ଚିହ୍ନଟ ହୋଇଥିବାରୁ ଗାଁରେ ସେମାନଙ୍କୁ କେହି ପାଖରେ ପୁରାଉ ନାହାନ୍ତି। ମୁଲ ଲାଗି ପରିବାର ପ୍ରତିପୋଷଣ କରୁଥିବା ପରିବାର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଗନ୍ଧର୍ବଙ୍କ ନିଖୋଜ ପରେ ପରିବାର ଏବେ ବେସାହାରା। କୋଭିଡ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ମାତ୍ର ପ୍ରଶାସନିକ ଅବହେଳା ଯୋଗୁଁ ଏହାର ସୁଫଳ ପାଇପାରୁ ନାହାଁନ୍ତି ଲୋକେ । ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବା ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ବିଜେପି ନେତା ସମ୍ପଦ ସ୍ୱାଇଁ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ