ଜଗତସିଂହପୁର:ରଙ୍ଗର ପର୍ବ ହୋଲିକୁ ନେଇ ଗାଁ ଠୁ ସହର ବେଶ ଚଳଚଞ୍ଚଳ । ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ସହର ଜଗତସିଂହପୁରରେ ଦୋଳ ଉତ୍ସବକୁ ମହାସମାରୋହରେ ପାଳନ କରାଯାଉଛି । ଗାଁ ଗାଁରେ ଇଷ୍ଟଦେଵ ରାଧାକୃଷ୍ଣ ସୁସଜ୍ଜିତ ବିମାନରେ ବସି ଘର ଘର ବୁଲି ଭୋଗ ଖାଇଥାନ୍ତି । ଏହା ସହ ଅବିର ରଙ୍ଗ ଖେଳ ସମଗ୍ର ପଲ୍ଲୀ ଅଞ୍ଚଳକୁ ଉତ୍ସବ ମୁଖର କରାଇଥାଏ।
ଆଦିମ କାଳରୁ ଏହି ସଂସ୍କୃତି ଓ ପରମ୍ପରା ରହି ଆସିଛି। ଏହି ପର୍ବ ଭାଇଚାରାର ପର୍ବ, ଫଗୁଣର ଫଗୁରେ ଇଷ୍ଟଦେଵଙ୍କୁ ରଙ୍ଗାଇତ କରି ଜୀବନକୁ ରଙ୍ଗମୟ କରିବାକୁ ପ୍ରଭୁଙ୍କ ପାଖରେ ନିବେଦନ କରଥାନ୍ତି ଭକ୍ତ।ସେହିପରି ଜଗତସିଂହପୁର ଜିଲ୍ଲାର ସର୍ଵ ପୁରାତନ ଦୋଳ ମେଳଣ କେନ୍ଦାଳ ଠାରେ ଅନୁଷ୍ଠିତ ହୋଇଥାଏ । ପ୍ରାୟ ଏକ ହଜାର ବର୍ଷ ପୂର୍ବେ ବାଳକ ଭାରତୀ ନାମକ ଜଣେ ସାଧୁ ଏହି ମେଳଣ ଆରମ୍ଭ କରିଥିଲେ।