ଜଗତସିଂହପୁର: ଶୀତଳ ଷଷ୍ଠୀ ନେଇ ସବୁଠି ଉତ୍ସବ । ବିଭିନ୍ନ ଶୈବ ପୀଠରେ ଶିବ ପାର୍ବତୀଙ୍କ ଶୁଭପରିଣୟ ଅନୁଷ୍ଠିତ ହୋଇଛି । ବାଜା ବାଣ ଓ ନାଚରେ ବରଯାତ୍ରୀ ନେଇ ମହାଦେବ ଓ ମା' ପାର୍ବତୀଙ୍କ ବିବାହରେ ସାମିଲ ହୋଇଛନ୍ତି ଶହ ଶହ ଶ୍ରଦ୍ଧାଳୁ । ଜଗତସିଂହପୁର ଜିଲ୍ଲା ବିରିଡି ଠାରେ ଥିବା ଅଷ୍ଟଶମ୍ଭୁ ମହାଦେବଙ୍କ ମନ୍ଦିରରେ ମଧ୍ୟ ଶିବ ବିବାହ ଅନୁଷ୍ଠିତ ହୋଇଛି ।
ଧ୍ୟାନକୁଦ ସ୍ଥିତ ଶ୍ରୀଜଗନ୍ନାଥଙ୍କ ମନ୍ଦିରକୁ ଦେବ ଦେବ ମହାଦେବଙ୍କୁ ପାଲିଙ୍କିରେ ନିଆଯାଇଥିଲା । ସେଠାରେ ଦେବ ଦମ୍ପତି ଭେଟ ହେବାପରେ ପାର୍ବତୀ ହରଣ ନୀତି ସମ୍ପାଦନ ହୋଇଥିଲା । ପରେ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ବିବାହ ରୀତିନୀତି ଚାଲିଥିଲା । ଆଜି (ଗୁରୁବାର) ସକାଳୁ ସକାଳୁ ଦେବ ଦମ୍ପତି ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ହଜାର ହଜାର ଲୋକ ଏହି ବିବାହ ଉତ୍ସବରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ପଶ୍ଚିମ ଓଡ଼ିଶାରେ ଶିବ ବିବାହ ଓ ଶୀତଳ ଷଷ୍ଠୀ ଯାତ୍ରାର ଗୁରୁତ୍ବ ରହିଥିବା ବେଳେ ଉପକୂଳ ଜିଲ୍ଲା ମାନଙ୍କରେ ମଧ୍ୟ ଶିବ ବିବାହ ଧୁମଧାମର ସହିତ ପାଳନ କରାଯାଉଛି ।
ଗାଁଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁ ବର୍ଗର ଲୋକେ ଏହି ଉତ୍ସବ ପାଳନ କରି ଆସୁଛନ୍ତି । ଶିବ ବିବାହରେ କନ୍ୟା ପିତା ଓ ବର ପିତା ଭାବେ କାର୍ଯ୍ୟ କଲେ ଅନନ୍ତ ଫଳ ମିଳିଥାଏ ବୋଲି ଜନମାନସ ମଧ୍ୟରେ ଅଖଣ୍ଡ ବିଶ୍ୱାସ ରହିଛି । ଏହି ବିଶ୍ୱାସକୁ ନେଇ ମାସକ ପୂର୍ବରୁ ବର ପିତା ଓ କନ୍ୟା ପିତା ଚୟନ କରାଯାଇଥାଏ । ଗତକାଲି (ବୁଧବାର) ଶିବ ବିବାହ ନୀତି ସମ୍ପାଦନ ହୋଇ ଥିବାବେଳେ ଆଜି ବିଭିନ୍ନ ଶୈବ ପୀଠ ମାନଙ୍କରେ ଶୀତଳ ଷଷ୍ଠୀ ଯାତ୍ରା ଅନୁଷ୍ଠିତ ହେଉଛି ।