ଢିଙ୍କିଆ(ଜଗତସିଂହପୁର): ଏରସମା ତହସିଲ ଅନ୍ତର୍ଗତ ଢ଼ିଙ୍କିଆ ନୂଆଗାଁ ଓ ଗଡ଼କୁଜଙ୍ଗ ପଞ୍ଚାୟତରେ ପ୍ରସ୍ତାବିତ JSW ପ୍ରକଳ୍ପ ପାଇଁ କାର୍ଯ୍ୟ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଗୋଟିଏ ପଟେ ଢ଼ିଙ୍କିଆ ପଞ୍ଚାୟତର ପାଟଣା, ମାହାଳ ଓ ଗୋବିନ୍ଦପୁର ଗାଁରେ ପାନବରଜ ମାପଚୁପ ଜାରି ରହିଛି ।
ସେପଟେ ଗୋବିନ୍ଦପୁର ଗାଁରେ ଜଙ୍ଗଲ ଜମିରେ ଥିବା ଗଛ କଟା ନେଇ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ଗତ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ବେଳେ ଆଜି ସୁଦ୍ଧା ପ୍ରାୟ ପାଞ୍ଚ ଶହରୁ ଊର୍ଦ୍ଧ୍ବ ଗଛ ଚିହ୍ନଟ କରାଯାଇଛି । ଏଥି ମଧ୍ୟରେ ସଜନା, ଆମ୍ବ, ପଣସ, କାଜୁ, କଦଳୀ ଭଳି ବିଭିନ୍ନ ପ୍ରକାରର ଫଳନ୍ତି ବୃକ୍ଷ ରହିଛି । ତେବେ ଉଦ୍ୟାନ ବିଭାଗ ପକ୍ଷରୁ ବିଭିନ୍ନ ଗଛର ଆକାର ଅନୁଯାୟୀ ମୂଲ୍ୟାୟନ କରାଯାଇଛି । ତା' ପରେ ସମ୍ପୁକ୍ତ ହିତାଧିକାରୀଙ୍କୁ କ୍ଷତିପୂରଣ ବାବଦକୁ ଆର୍ଥିକ ସହାୟତା ପ୍ରଦାନ କରାଯିବ ।