ପାରାଦ୍ବୀପ: ଜେଏସଡବ୍ଲ୍ୟୁ କମ୍ପାନୀ ପରିସର ମଧ୍ୟରେ ମୃତ ହରିଣ ଉଦ୍ଧାର । JSW କମ୍ପାନୀ କର୍ମଚାରୀମାନେ ମୃତହରିଣକୁ ଉଦ୍ଧାର କରି ଟ୍ରାକ୍ଟର ଯୋଗେ ବୋହି ନେଇ ଯାଉଥିବା ବେଳେ ଗ୍ରାମବାସୀ ଅଟକ ରଖି ବନବିଭାଗକୁ ଖବର ଦେଇଥିଲେ । ଖବର ପାଇ ମୃତ ହରିଣକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଲେ କୁଜଙ୍ଗ ବନଖଣ୍ଡ ବିଭାଗ ।
ସୂଚନାନୁଯାୟୀ JSW କମ୍ପାନୀ ପାରାଦୀପ ଉପକଣ୍ଠ ଢ଼ିଙ୍କିଆ ତାର ପ୍ରକଳ୍ପ ପାଇଁ ପାଚେରୀ ନିର୍ମାଣ କରିଛି । ହେଲେ ପାଚେରୀ ନିର୍ମାଣର ବର୍ଷେ ବିତି ଯାଇଥିଲେ ମଧ୍ୟ ପ୍ରକଳ୍ପ ପାଇଁ କୌଣସି ଆଖିଦୃଶିଆ କାର୍ଯ୍ୟ କିଛି ଆରମ୍ଭ ହୋଇନାହିଁ । ତେବେ ପ୍ରକଳ୍ପ ପାଇଁ ପାନବରଜ ଭଙ୍ଗା କାର୍ଯ୍ୟ ସହିତ ଗଛକଟା କାର୍ଯ୍ୟମଧ୍ୟ ଶେଷ ହୋଇଥିବା ବେଳେ ପାଚେରୀ ପରିସର ମଧ୍ୟରେ ଥିବା ଜଙ୍ଗଲରେ ହରିଣ, ବାରହା ଭଳି ଅନେକ ଜୀବଜନ୍ତୁ ରହିଛନ୍ତି । ଯାହାକି ଅଧିକାଂଶ ସମୟରେ ଖାଦ୍ୟ ପାଇଁ ଜଙ୍ଗଲରୁ ଗାଁ ମୁହାଁ ହୋଇଥାନ୍ତି ।
ତେବେ ଗତକାଲି(ମଙ୍ଗଳବାର) ସକାଳୁ କମ୍ପାନୀ ପରିସର ମଧ୍ୟରେ ହରିଣଟି ଜାଲରେ ଫସିଯାଇ ମୃତ୍ୟୁ ହୋଇଥିଲା । jsw କମ୍ପାନୀର କର୍ମଚାରୀମାନେ କମ୍ପାନୀ ଅଧିକାରୀଙ୍କୁ ଅବଗତ କରାଇବା ସହ କମ୍ପାନୀ ପରିସର ମଧ୍ୟରୁ ମୃତ ହରିଣକୁ ଟ୍ରାକ୍ଟର ଯୋଗେ ବାହାରକୁ ନେଉଥିଲେ । ଗ୍ରାମବାସୀମାନେ ଟ୍ରାକ୍ଟରକୁ ଅଟକାଇ ବନବିଭାଗକୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ ।