ଜଗତସିଂହପୁର:ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିପଦ ସଂକୁଳ ଅବସ୍ଥାରେ ବିଦ୍ୟୁତ ସବ ଷ୍ଟେସନ । ଏଠାରେ ଏକାଧିକ ବ୍ୟକ୍ତି ଓ ଗୃହ ପାଳିତ ପଶୁ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଛନ୍ତି ତଥାପି ଏଥିପ୍ରତି କାହାର ନିଘା ନାହିଁ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭଳି ଏକ ସମ୍ବେଦନଶୀଳ ସ୍ଥାନରେ ବେପରୁଆ ବିଦ୍ୟୁତ୍ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସାଧାରଣଲୋକେ । ଜଗତସିଂହପୁର ସହରରେ ବିଦ୍ୟୁତ୍ ସବ ଷ୍ଟେସନ ଗୁଡିକ ମୁକୁଳା ପଡିଛି । କେଉଁଠାରେ ବିଦ୍ୟୁତ ତାର ତଳେ ଝୁଲୁଛି ତ ଆଉ କେଉଁଠାରେ ସବ ଷ୍ଟେସନ ଚାରିପାଖ ଆବଦ୍ଧ କରାଯାଉନାହିଁ । ଫଳରେ କେତେ ବେଳେ କାହାର ଜୀବନ ଚାଲିଯିବ ଭୟ ରହିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି ।
ଖୋଦ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଥିବା ୩ଟି ସବ ଷ୍ଟେସନ ମୁକୁଳା ପଡିଥିବା ଦେଖିବାକୁ ମିଳିଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଡିଆରେ ପ୍ରତ୍ୟେକ ଦିନ କୌଣସି ନାଁ କୌଣସି କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ପ୍ରତ୍ୟେକ ଦିନ ହଜାର ହଜାର ଲୋକଙ୍କ ଏହି ସ୍ଥାନରେ ଚଳ ପ୍ରଚଳ କରିଥାନ୍ତି କିନ୍ତୁ ବିଦ୍ୟୁତ ବିଭାଗର ଅବହେଳା ଓ ଅପାରଗତା ଯୋଗୁଁ ମରଣଯନ୍ତା ପାଲଟିଛି ଏହି ଖୋଲା ସବ ଷ୍ଟେସନ । ପ୍ରତ୍ୟେକ ଦିନ କେହି ନାକେହି ବିଦ୍ୟୁତ ସଂସ୍ପର୍ଶରେ ଆସି ଆହତ ହେଉଛନ୍ତି । ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ଟାଟା ପାୱାର କତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉ ନଥିବା ଅଭିଯୋଗ ହୋଇଛି ।
ଏହା ମଧ୍ୟ ପଢନ୍ତୁ .....ଟାଟା ପାୱାରର ମନୋମୁଖୀ କାର୍ଯ୍ୟ ! ଅସନ୍ତୋଷ ଅସ୍ଥାୟୀ କର୍ମଚାରୀ