ଜାତିଗତ ପ୍ରମାଣ ପତ୍ର ପାଇଁ ତହସିଲ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ ଜଗତସିଂହପୁର: ଜାତିଗତ ପ୍ରମାଣ ପତ୍ର ପାଇଁ ଆନ୍ଦୋଳନ । ଜଗତସିଂହପୁର ସହର ସମେତ ଏହାର ଆଖପାଖ ଅଞ୍ଚଳର ବସବାସ କରୁଥିବା ଅନୁସୂଚିତ ଜାତି ଓ ଜନଜାତି ସମ୍ପ୍ରଦାୟର ଲୋକେ ଜାତିଗତ ପ୍ରମାଣ ପତ୍ର ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଏଥିପାଇଁ ନାନାଦି ଆସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ।
ଫଳରେ କିଏ ଉଚ୍ଚଶିକ୍ଷା ପାଇଁ ବଞ୍ଚିତ ହେଉଥିବା ବେଳେ ଆଉ କିଏ ଚାକିରି ଆବେଦନ କରିବାରେ ସମସ୍ୟା ସୃଷ୍ଟି ହେଉଛି । ଏହାକୁ ନେଇ ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ତହସିଲଦାରଙ୍କ ପର୍ଯ୍ୟନ୍ତ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନଥିବା ଅଭିଯୋଗ କରିଛନ୍ତି। ଏହାକୁ ନେଇ ଆଜି ଜଗତସିଂହପୁର ଦଳିତ ବିକାଶ ପରିଷଦ ତରଫରୁ ଜଗତସିଂହପୁର ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ଅନୁସୂଚିତ ଜାତି ଓ ଜନଜାତି ସମ୍ପ୍ରଦାୟର ଲୋକେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣାରେ ବସିଥିଲେ ।
ଜଗତସିଂହପୁର ପୌରାଞ୍ଚଳର ମାର୍କଣ୍ଡପୁର, ଚାଟରା ଓ ଚର୍ଚିକା ବଜାରରେ ଶତାଧିକ ଅନୁସୂଚିତ ଜାତି ଜନଜାତି ପରିବାର ବସବାସ କରିଥାଆନ୍ତି । 2017ରେ ରାଜ୍ୟ ସରକାର ଭୂମି ଅଧିକାର ନିୟମ ପ୍ରଣୟନ କରିଥିବା ବେଳେ 2019 ମସିହା ମାର୍ଚ୍ଚ ମାସରେ ଭୂମି ଅଧିକାର ପ୍ରମାଣ ପତ୍ର(ପଟ୍ଟା) ଏହି ବର୍ଗମାନଙ୍କୁ ପ୍ରଦାନ କରାଯାଇଛି । ଏପରିକି ଏହି ଲୋକମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମଧ୍ୟ ଘର ସରକାର ପ୍ରଦାନ କରିଛନ୍ତି । କିନ୍ତୁ ଏମାନଙ୍କୁ ଜାତିଗତ ପ୍ରମାଣ ପତ୍ର ମିଳୁ ନଥିବାରୁ ଏମାନେ ସମସ୍ୟାରେ ପଡ଼ିଛନ୍ତି । ବାରମ୍ବାର ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଉଥିଲେ ବି ପ୍ରଶାସନ ଏମାନଙ୍କ ପ୍ରତି ଅଣଦେଖା କରିଥିବା ଜଗତସିଂହପୁର ଦଳିତ ବିକାଶ ପରିଷଦର ସଭାପତି ଶଙ୍କର ଦାସ ଅଭିଯୋଗ କରିଛନ୍ତି ।
ପ୍ରଶାସନ ଏହିଭଳି କାର୍ଯ୍ୟକୁ ନେଇ ଆଜି ଜଗତସିଂହପୁର ଦଳିତ ବିକାଶ ପରିଷଦ ଏକ ଶୋଭାଯାତ୍ରା ବାହାରି ଜଗତସିଂହପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା । ଏହି ବିକ୍ଷୋଭ ସମାବେଶରେ ଶତାଧିକ ଅନୁସୂଚିତ ଜାତି ଜନଜାତିର ଲୋକେ ଭାଗ ନେଇ ତହସିଲ ଅଫିସ ଘେରାଉ କରିଥିଲେ । ପରେ ଜଗତସିଂହପୁର ତହସିଲଦାର ତାରିଣୀ ପ୍ରସନ୍ନ ରାୟ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିବା ସହ ଏହାର ସମାଧାନ ପାଇଁ ଚେଷ୍ଟା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପ୍ରତିଶୃତି ପାଇବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଯଦି ସପ୍ତାହକ ମଧ୍ୟରେ ଯଦି ଜାତିଗତ ପ୍ରମାଣ ପତ୍ର ଆନ୍ଦୋଳନକାରୀଙ୍କୁ ନମିଳେ ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ଜଗତସିଂହପୁର ଦଳିତ ବିକାଶ ପରିଷଦ ପକ୍ଷରୁ କୁହାଯାଇଛି ।
ଇଟିଭି ଭାରତ, ଜଗତସିଂହପୁର