ଜଗତସିଂହପୁର: ନାହିଁ ନାହିଁରେ ଚାଲିଛି ଜଗତସିଂହପୁର ଜିଲ୍ଲା ସ୍ବାସ୍ଥ୍ୟସେବା । ଭିତ୍ତିପ୍ରସ୍ତରରେ ଅଟକିଛି ମେଡିକାଲର ଅନେକ ଉନ୍ନତି ମୂଳକ କାମ । ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ଜିଲ୍ଲାର ପାଖାପାଖି 12 ଲକ୍ଷ ଲୋକ ମୁଖ୍ୟଚିକିତ୍ସାଳୟ ଉପରେ ନିର୍ଭର କରୁଥିବାବେଳେ ଏଥିରେ ରହିଛି ମାତ୍ର 126ଟି ବେଡ୍ । ଯାହାକୁ ନେଇ ଅନେକ ସମୟରେ ଆନ୍ଦୋଳନ ହୋଇଥିଲେ ବି କିଛି ସୁଫଳ ମିଳିନି ।
ସେପଟେ 2020 ମସିହା ଅଗଷ୍ଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ 18 କୋଟି ଟଙ୍କା ବ୍ୟୟରେ 100 ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ୱାଡ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଯାହା ଏପର୍ଯ୍ୟନ୍ତ ଆରମ୍ଭ ହୋଇନି ।
ଜିଲ୍ଲାରେ ମେଡିକାଲ କଲେଜ ଓ ସୁପର ସ୍ପେଶାଲିଟି ହସ୍ପିଟାଲ ପାଇଁ ଦାବି ହେଉଥିଲେ ବି ଏଥିପ୍ରତି କେହି କର୍ଣ୍ଣପାତ କରୁନାହାଁନ୍ତି । ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଓ ପ୍ରଶାସନିକ ଆନ୍ତରିକତାର ଅଭାବ ପାଇଁ ଜିଲ୍ଲାର ସ୍ବାସ୍ଥ୍ୟବସ୍ଥା ଏପରି ସ୍ଥିତିରେ ଥିବା ଅଭିଯୋଗ ହେଉଛି । ଯାହାର ଜଳନ୍ତ୍ବ ଉଦାହରଣ ମାତୃ ଓ ଶିଶୁ ୱାର୍ଡ ବୋଲି କୁହାଯାଉଛି । ସେପଟେ ମାତୃ ଓ ଶିଶୁ ୱାର୍ଡ ନିର୍ମାଣ କାମ ଖୁବଶୀଘ୍ର ଆରମ୍ଭ ହେବ ବୋଲି ଆଶ୍ବାସନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ।