ଜଗତସିଂପୁର: ମୁଖ୍ୟମନ୍ତ୍ରୀ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହେବା ପରେ ଶାସନ ବ୍ୟବସ୍ଥାକୁ ଅଧିକ ସରଳ ଓ ପ୍ରଭାବଶାଳୀ କରିବାକୁ 5-ଟି ମନ୍ତ୍ର ଦେଇଛନ୍ତି । ହେଲେ ସାରା ରାଜ୍ୟରେ ସରକାରଙ୍କ ନାକ ତଳେ ଚାଲିଛି ଦୁର୍ନୀତି । ସ୍ଥାନୀୟ ବିରିଡି ବ୍ଲକ ଅନ୍ତର୍ଗତ ବରେଡିଆ ପଞ୍ଚାୟତରେ ବ୍ୟାପକ ଆର୍ଥିକ ଘୋଟାଲା ହୋଇଥିବା ଖୋଦ ପଞ୍ଚାୟତର ବିଭିନ୍ନ ଗ୍ରାମ୍ୟ ୱାର୍ଡମେମ୍ବର ଗୁରୁତର ଅଭିଯୋଗ ଆଣିଛନ୍ତି ।
ସୋମବାର ବରେଡିଆ ପଞ୍ଚାୟତର ସରପଞ୍ଚ ରେଣୁବାଳା ପାଳଙ୍କ ବିରୋଧରେ 15ଜଣ ୱାର୍ଡ ସଭ୍ୟଙ୍କ ମଧ୍ୟରୁ 13 ଜଣ ଆର୍ଥିକ ଦୁର୍ନୀତି ଅଭିଯୋଗ ଆଣି ଉପ-ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଅନାସ୍ଥା ପ୍ରସ୍ତାବ ପାଇଁ ଦାବି କରିଛନ୍ତି । ଅଭିଯୋଗ ଅନୁଯାୟୀ ବରେଡିଆ ସରପଞ୍ଚ ରେଣୁବାଳା ପାଳ ପଞ୍ଚାୟତରେ କୌଣସି ଉନ୍ନୟନମୂଳକ କାର୍ଯ୍ୟକ୍ରମ ହାତକୁ ନେଇ ନାହାନ୍ତି । କିନ୍ତୁ ବିଭିନ୍ନ ଯୋଜନା ମାଧ୍ୟମରେ ପଞ୍ଚାୟତକୁ ଆସୁଥିବା ଅର୍ଥ ଚଞ୍ଚକତା କରି ହଡପ କରୁଥିବା ୱାର୍ଡ ସଭ୍ୟମାନେ ଅଭିଯୋଗ କରିଛନ୍ତି ।