ଜଗତସିଂହପୁର:ପ୍ରଥମେ ପ୍ରେମ ଜାଲରେ ଫସାଇ ଏକ ବର୍ଷ ଧରି ଏକାଠି ରହିଲେ । ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ କଲେ । କିଛି ଦିନ ଯାଏଁ ସବୁ ଠିକଠାକ୍ ଚାଲିଥିଲା ମଧ୍ୟ । ହେଲେ ବିବାହ କଥା ଉଠିବାରୁ ଯୁବତୀଙ୍କୁ ଛାଡି ଚମ୍ପଟ ମାରିଲେ ଯୁବକ । ଯାହାପରେ ପ୍ରେମ ପ୍ରତାରଣା ଅଭିଯୋଗ ଆଣି ଏବେ ଥାନାର ଦ୍ବାରସ୍ଥ ହୋଇଛନ୍ତି ଯୁବତୀ । ପ୍ରେମ ପ୍ରତାରଣାର ଏଭଳି ଅଭିଯୋଗ ସାମ୍ନାକୁ ଆସିଛି ଜଗତସିଂହପୁରରୁ ।
ସୂଚନା ଅନୁସାରେ, ଢେଙ୍କାନାଳ ଜିଲ୍ଲା ରାଧାଦେଇପୁର ଗ୍ରାମର ଜଣେ ଦଳିତ ବର୍ଗର ଯୁବତୀ ଭୁବନେଶ୍ବର ମଞ୍ଚେଶ୍ବର ଥାନା ଅଞ୍ଚଳରେ ରହି ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ସେହି ସଂସ୍ଥାରେ ଥିବା ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଖେରସ ଗ୍ରାମର ଜଗନ ପଲାଉରୀ ନାମକ ଜଣେ ଯୁବକ ତାଙ୍କୁ ପ୍ରେମ ଜାଲରେ ଫସାଇଥିଲେ । ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ବଢିଲା । ଯୁବକ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ କଲେ । ଗୋଟିଏ ବର୍ଷ ଧରି ଏକତ୍ର ରହିଥିଲେ । ହେଲେ ଯୁବତୀ ଜଣକ ବିବାହ ପାଇଁ ଜିଦ୍ ଧରିବାରୁ ଜଗନ ତାଙ୍କୁ ଛାଡି ଫେରାର୍ ହୋଇଗଲେ ।