ଜଗତସିଂହପୁର:ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା କାର । ଅଳ୍ପକେ ରକ୍ଷା ପାଇଲେ କାର ଚାଳକ । ଗତକାଲି(ଶନିବାର) ଜଗତସିଂହପୁର ଜିଲ୍ଲା କଟକ-ପାରାଦ୍ୱୀପ ରାସ୍ତାରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।
କଟକ-ପାରାଦ୍ୱୀପ ରାସ୍ତା ଏବେ ମରଣ ଯନ୍ତା ପାଲଟିଛି । ପ୍ରତ୍ୟେକ ଦିନ ଏହି ରାସ୍ତାରେ ଛୋଟ ବଡ ଦୁର୍ଘଟଣା ଘଟିବା ସହ ଜୀବନ ହାନି ହେଉଥିବା ଖବର ସାମ୍ନାକୁ ଆସୁଛି । ଗତକାଲି(ଶନିବାର) କଟକ-ପାରାଦ୍ୱୀପ ରାସ୍ତାର ତରଜଙ୍ଗ ପଞ୍ଚାୟତ ଅଧୀନ ବାଲିପାଟଣା ନିକଟରେ ହଠାତ ଏକ କାରରେ ନିଆଁ ଲାଗିଯାଇଥିଲା । କାରଟିକୁ ନିଜେ ଗାଡି ମଲିକ ସୀତାକାନ୍ତ ନାୟକ ଚଲାଉଥିଲେ ।
ଏନେଇ ସେ କହିଛନ୍ତି, " ମୋର ଘର ଗଞ୍ଜାମ ଜିଲ୍ଲା ଆସ୍କାରେ କିନ୍ତୁ ମୁଁ ପାରାଦ୍ବୀପ ସ୍ଥିତ ପିପିଏଲରେ ଚାକିରି କରେ । ମୁଁ ଏକ କାମରେ କଟକରୁ ପାରାଦ୍ୱୀପ ଫେରିବା ସମୟରେ ରଘୁନାଥପୁର ଠାରେ ଗାଡିକୁ ସର୍ଭିସିଂ କରାଇଥିଲି । ସେଠାରୁ ପାରାଦ୍ୱୀପ ଫେରିବା ସମୟରେ ବାଲି ପାଟଣାଠାରେ ହଠାତ ଏସି ବନ୍ଦ ହୋଇ ଯାଇଥିଲା । ଏହାର କିଛି ମିନିଟ ଭିତରେ ଗାଡି ସମ୍ପୂର୍ଣ୍ଣ ଧୂଆଁରେ ପୁରି ଯାଇଥିଲା । ଗାଡିକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ ସୁଦ୍ଧା ଗାଡି ଅଟକି ନଥିଲା । ବ୍ରେକ ଫେଲ ହେଲାଭଳି ଲାଗୁଥିଲା । ତେବେ ଉପସ୍ଥିତ ବୁଦ୍ଧା ଖଟାଇ ଗାଡିର ଗତିକୁ ମନ୍ଥର କରି କାରକୁ ଅଟକାଇଥିଲି । ଏହାପରେ ଗାଡିରୁ ବାହାରିବା ବେଳେ ହଠାତ ନିଆଁ ଲାଗିଯାଇଥିଲା । "