ଜଗତସିଂହପୁର: ଜୋର ଧରିଲା ବିଦ୍ୟୁତ ବିଭ୍ରାଟ ବିରୋଧରେ ଆନ୍ଦୋଳନ । ବିଜେପି ପକ୍ଷରୁ ଟାଟା ପାୱାର ଅଫିସକୁ ଘେରାଉ । ଅଘୋଷିତ ବିଦ୍ୟୁତ କାଟ, ଓ ବର୍ଦ୍ଧିତ ବିଜୁଳି ବିଲ୍କୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି । ଜିଲ୍ଲା ବିଜେପି ପକ୍ଷରୁ କୁହାଯାଇଛି ଯେ ଜଗତସିଂହପୁର ଜିଲ୍ଲାରେ ଅଘୋଷିତ ବିଦ୍ୟୁତ କାଟରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଛି । ତାପମାତ୍ର ବଢିବା ସହ ବିଦ୍ୟୁତ କାଟ ମଧ୍ୟ ବଢିବାରେ ଲଗିଛି । ମନମୁଖୀ ବିଦ୍ଯୁତକାଟ ଫଳରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ଶୀକାର ହେଉଛନ୍ତି ।
ଜିଲ୍ଲା ବିଜେପି ସଭାପତି ରାଜେନ୍ଦ୍ର କୁମାର ବିଷ୍ଣୋଇ କହିଛନ୍ତି, "ରାଜ୍ୟ ସରକାର ଟାଟା କମ୍ପାନୀକୁ ବିଦ୍ୟୁତ ବିଭାଗକୁ ଟେକିଦେବା ପରେ ଟାଟା କମ୍ପାନୀ ମନମାନି କରୁଛି । ସ୍ମାର୍ଟ ମିଟର ନାମରେ କମ୍ପାନୀ ବର୍ଦ୍ଧିତ ବିଦ୍ୟୁତ ବିଲ୍ ଲୋକଙ୍କଠାରୁ ଆଦାୟ କରୁଛି । ହେଲେ ମନଇଚ୍ଛା ବିଦ୍ୟୁତ କାଟ ମଧ୍ୟ କରୁଛି । ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଏହି ସମୟରେ ବାରମ୍ବାର ବିଦ୍ୟୁତ କାଟ କରାଯାଉଛି । କାଳବୈଶାଖୀ ଆଳରେ ଟାଟା କମ୍ପାନୀ ସହରାଞ୍ଚଳରେ 5ରୁ 6 ଘଣ୍ଟା ଧରି ବିଜୁଳି କାଟ କରୁଥିବାବେଳେ ଗ୍ରାମାଞ୍ଚଳରେ ଦିନଦିନ ଧରି ବିଜୁଳି ଦେଖିବାକୁ ମିଳୁନାହିଁ । ଯାହା ଲୋକଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଛି । ଅନ୍ୟପଟେ ରାଜ୍ୟ ସରକାରଙ୍କ ଶକ୍ତି ମନ୍ତ୍ରୀ କହୁଛନ୍ତି ବିଦ୍ୟୁତ କାଟ ନୁହେଁ ଟ୍ରିପ ହେଉଛି । ଯାହା ଅତ୍ୟନ୍ତ ଲଜ୍ୟାଜନକ ।"