ପାରାଦ୍ୱୀପ ବିଧାୟକଙ୍କୁ ବିଜେପିର କଡା ସମାଲୋଚନା ଜଗତସିଂହପୁର:2024 ନିର୍ବାଚନକୁ ଆଉ କିଛି ମାସ ବାକି ରହିଥିବା ବେଳେ ଏବେଠୁ ରାଜ୍ୟରେ ରାଜନୈତିକ ଉଷ୍ମତା ଦେଖାଗଲାଣି । ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀରେ ବିଜେପି ଓ ବିଜେଡି ମଧ୍ୟରେ କାଦୁଅ ଫିଙ୍ଗା ରାଜନୀତି ଦେଖିବାକୁ ମିଳିଛି । ବର୍ଷ ଆରମ୍ଭରୁ ପାରାଦ୍ୱୀପର ବିଜେପି ନେତା ସମ୍ପଦ ସ୍ୱାଇଁ ଏକ ସାମ୍ବାଦିକ ସମ୍ମିଳନୀରେ ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟଙ୍କ ଉପରେ ବର୍ଷିବା ସହିତ ଦୀର୍ଘ 5ବର୍ଷ ମଧ୍ୟରେ ବିଧାୟକ କେଉଁ ଜନହିତକାରୀ କାର୍ଯ୍ୟ କରିଛନ୍ତି ତାକୁ ନେଇ ହିସାବ ମାଗିଛନ୍ତି ।
ବିଜେପି ନେତା ସମ୍ପଦ ସ୍ୱାଇଁ ପାରାଦ୍ୱୀପଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ସମ୍ବିତ ରାଉତରାୟଙ୍କୁ କଡା ସମାଲୋଚନା କରିଛନ୍ତି । ସେ କହିଛନ୍ତି, "ପାରାଦୀପ ବିଧାୟକ ଯେଉଁ ପରିବାରକୁ ନେଇ ରାଜନୀତି କରୁଛନ୍ତି ତାହା ଗ୍ରହଣଯୋଗ୍ୟ ନୁହେଁ । ବିଧାୟକ ଭାବରେ ସମ୍ବିତ ବାବୁ 5ବର୍ଷ ପୂରଣ କରିବାକୁ ଯାଉଛନ୍ତି, କିନ୍ତୁ ପାରାଦ୍ୱୀପରେ ଥିବା ସମସ୍ୟା ସେ କେତେ ସମାଧାନ କରିଛନ୍ତି ? ପାରାଦ୍ୱୀପରେ ଶ୍ରମିକ ମାନେ ସମସ୍ୟା ମଧ୍ୟରେ ଗତି କରୁଛନ୍ତି । ତାହାର ସମାଧାନ ପାଇଁ ବିଧାୟକ କେତେ ଆନ୍ତରିକତା ଦେଖାଇଛନ୍ତି ?"
ଏହାମଧ୍ୟ ପଢନ୍ତୁ.. BSKY-ନବୀନ କାର୍ଡ ରାଜନୀତି, ସରକାରୀ ଅର୍ଥରେ ନିର୍ବାଚନ ପ୍ରଚାର ହେଉଛି କହିଲେ ବିରୋଧୀ
ସେହିପରି ସେ ଆହୁରି ମଧ୍ୟ କହିଛନ୍ତି,"ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀ ଅଧିନରେ କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି । ସେଠାରେ କିଭଳି ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯାଉଛି ତାହା ବିଧାୟକ ନିଜେ ଯାଇ ଦେଖନ୍ତୁ । ପାରାଦ୍ୱୀପରେ 40ରୁ ଅଧିକ ଛୋଟ ବଡ଼ ଶିଳ୍ପ ସଂସ୍ଥା ରହିଛି । ବିଶେଷ ଭାବରେ ପାରାଦ୍ୱୀପ ପୋର୍ଟ, ତୈଳ ବିଶୋଧନାଗାର ଓ ଇଫ୍କୋ ଭଳି ବଡ଼ ବଡ଼ ଶିଳ୍ପ ସଂସ୍ଥା ରହିଥିଲେ ମଧ୍ୟ ସିଏସଆର ଫଣ୍ଡ ସ୍ଥାନୀୟ ଲୋକଙ୍କ ସ୍ୱାର୍ଥରେ ବିନିଯୋଗ କରାଯାଉନାହିଁ ।"
" ଏହି ଅର୍ଥରେ ସ୍ୱାସ୍ଥ୍ୟ ସେବାଠାରୁ ଆରମ୍ଭ କରି ମହିଳା ମାନଙ୍କ ବିକାଶ ପାଇଁ ବିନିଯୋଗ କରାଯିବା କଥା ଏହାକୁ ନେଇ ସ୍ଥାନୀୟ ବିଧାୟକ କେତେ ଆନ୍ତରିକତା ଦେଖାଇଛନ୍ତି ? ବିଧାୟକ ହେବା ଦିନଠାରୁ ସମ୍ବିତ ବାବୁଙ୍କର ପାରାଦ୍ୱୀପରେ ଦେଖା ମିଳୁନାହିଁ । ଶ୍ରମିକ ମାନଙ୍କ ସମସ୍ୟା ପ୍ରତି ବିଧାୟକ ଆଖି ବୁଜି ଦେଇଛନ୍ତି । ଆଗାମୀ 2024 ନିର୍ବାଚନରେ ଲୋକେ ଏହାର ଉଚିତ ଜବାବ ଦେବେ ।"
ସୂଚନା ଯୋଗ୍ୟ ଯେ ବିଧାୟକ ସମ୍ବିତ ରାଉତରାୟ ଏକ ସଭାରେ ବିଜେପି ନେତା ସମ୍ପଦ ସ୍ୱାଇଁ ଓ ତାଙ୍କ ପରିବାରକୁ ଟାର୍ଗେଟ କରିଥିଲେ । ଯାହାର ପ୍ରତି ଜବାବରେ ସମ୍ପଦ ସ୍ୱାଇଁ ସାମ୍ବାଦିକ ସମ୍ମିଳନୀ କରି ବିଧାୟକଙ୍କୁ କଡା ସମାଲୋଚନା କରିଛନ୍ତି । ତେବେ ଏହାକୁ ନେଇ ପାରାଦୀପ ବିଧାୟକ ସମ୍ବିତ ରାଉତରାୟଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।
ଇଟିଭି ଭାରତ, ଜଗତସିଂହପୁର