ଓଡିଶା

odisha

By

Published : Sep 8, 2022, 9:15 PM IST

ETV Bharat / state

ଆଶାକର୍ମୀ ଦୁଷ୍କର୍ମ ମାମଲା, ବାପି ସର୍ଖେଲଙ୍କ ସମ୍ପୃକ୍ତି ନେଇ BJPର ଅଭିଯୋଗ

ପାରାଦ୍ବୀପ ଆଶାକର୍ମୀ ଗଣଦୁଷ୍କର୍ମ ଘଟଣା । କଂଗ୍ରେସ ନେତା ବାପି ସର୍ଖେଲଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ଆଣିଲା ବିଜେପି । ଅଧିକ ପଢନ୍ତୁ

ଆଶାକର୍ମୀ ଦୁଷ୍କର୍ମ ମାମଲା, ବାପି ସର୍ଖେଲଙ୍କ ସମ୍ପୃକ୍ତି ନେଇ BJPର ଅଭିଯୋଗ
ଆଶାକର୍ମୀ ଦୁଷ୍କର୍ମ ମାମଲା, ବାପି ସର୍ଖେଲଙ୍କ ସମ୍ପୃକ୍ତି ନେଇ BJPର ଅଭିଯୋଗ

ପାରାଦ୍ବୀପ: ଜଗତସିଂହପୁର ଜିଲ୍ଲା ପାରାଦ୍ବୀପ ଆଶାକର୍ମୀ ଗଣଦୁଷ୍କର୍ମ ଘଟଣା । ଏନେଇ ନଗର ବିଜେପି ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଏଥିରେ ବରିଷ୍ଠ କଂଗ୍ରେସ ନେତା ତଥା ଆମ ପାରାଦ୍ବୀପ ଆମ ପ୍ରଗତିର ମୁଖ୍ୟ ବାପି ସର୍ଖେଲଙ୍କ ବିରୋଧରେ ଆସିଛି ସାଘାଂତିକ ଅଭିଯୋଗ । ସେ ଏହି ମାମଲାରେ ସମ୍ପୃକ୍ତି ଥିବା ନେଇ ବିଜେପି ପକ୍ଷରୁ ଅଭିଯୋଗ ହୋଇଛି ।

ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଆଶାକର୍ମୀ ଗଣ ଦୁଷ୍କର୍ମରେ ସମ୍ପୃକ୍ତ ଅଭିଯୁକ୍ତ, ବାପି ସର୍ଖେଲଙ୍କ ଲୋକ । ଏକାଧିକ ସଭାରେ ବାପି ସର୍ଖେଲଙ୍କ ସହ ସେ ଭାଗ ନେଇଥାଏ । ଏହି ଅଭିଯୁକ୍ତ ଦ୍ବାରା ହିଁ ବାପି ସର୍ଖେଲ ସମସ୍ତ କାର୍ଯ୍ୟ କରାଇଥାନ୍ତି ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯିବା ସହ ବାପିଙ୍କ ସହ ଅଭିଯୁକ୍ତର ଫଟୋକୁ ପ୍ରଦର୍ଶନ କରାଯାଇଛି । ଯାହାକୁ ନେଇ ପାରାଦ୍ବୀପରେ ରାଜନୀତି ଜୋର ଧରିଛି । ଏ ସମ୍ପର୍କରେ ବାପି ସର୍ଖେଲଙ୍କ ସହ ଯୋଗଯୋଗ କରିଥିଲେ ମଧ୍ୟ ତେବେ ସେ ଏ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ କରି ନିଜର ପ୍ରତିକ୍ରିୟା ରଖିବେ ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଲୋକଲଜ୍ଜାରେ ଦୁଷ୍କର୍ମ ପୀଡ଼ିତାଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲା ପୋଲିସ

ସୂଚନା ଥାଉ କି ଗତ ଅଗଷ୍ଟ ୨୬ ତାରିଖରେ ପୀଡ଼ିତା ଜଣକ ପାରାଦ୍ଵୀପ ନୂଆବଜାରରୁ ନିଜର କାମ ସାରି ସାଇକେଲରେ ଫେରୁଥିବାବେଳେ ଘଟିଥିଲା ଏହି ଘଟଣା । ୪ ଜଣ ଯୁବକ ଏକ ନାଲି ରଙ୍ଗର କାରରେ ଆସି ତାଙ୍କୁ ଅପହରଣ କରିନେଇଥିଲେ । ସେମାନେ ତାଙ୍କୁ ନେହେରୁବଙ୍ଗଳା ନିକଟସ୍ଥ ଏକ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିବା ପୀଡ଼ିତା ଅଭିଯୋଗ କରିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଯୁବକ ତାଙ୍କୁ ଦୁଷ୍କର୍ମ କରିଥିବାବେଳେ, ଅନ୍ୟ ୩ଜଣ ତାଙ୍କୁ ଶାରୀରିକ ନିର୍ଯାତନା ଦେଇଥିବା ନେଇ ସେ ଏତଲାରେ ଦର୍ଶାଇଥିଲେ । ପରେ ଯୁବକମାନେ ତାଙ୍କୁ ଆଣି ବ୍ୟାଙ୍କ ଲାଇନ୍ ନିକଟ ରାସ୍ତାରେ କାରରୁ ଫୋପାଡି ଦେଇ ଚାଲିଯାଇଥିଲେ ।

ଏ ସମ୍ପର୍କରେ ଖବର ପାଇବା ପରେ ପାରାଦ୍ବୀପ ଆଦର୍ଶ ଥାନା ପକ୍ଷରୁ ଆଶାକର୍ମୀଙ୍କୁ ସେଠାରୁ ଉଦ୍ଧାର କରାଯାଇଥିଲା । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଏହି ଦୁଷ୍କର୍ମ ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ଅନ୍ଯ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହିତ ନାଲି କାରକୁ ଜବତ କରିଥିଲା ପୋଲିସ । ଅଭିଯୁକ୍ତ ଜେଲ୍‌ରେ ଥିବାରୁ ତାକୁ ଚିହ୍ନଟ ପାଇଁ ଟିଆଇ ପରେଡ଼ ପାଇଁ ପୋଲିସ ଆଶାକର୍ମୀଙ୍କ ସହଯୋଗ ଲୋଡ଼ିଥିଲା । ଜେଲ୍‌କୁ ଯାଇ ପୀଡ଼ିତା ଟିଆଇ ପରେଡରେ ଅପରାଧୀଙ୍କୁ ଚିହ୍ନଟ କରିବାକୁ ସ୍ଥିର ହୋଇଥିଲା । ହେଲେ ଏହାପୂର୍ବରୁ ଆଶାକର୍ମୀ ଜଣକ ଘର ଛାଡ଼ି କେଉଁଆଡ଼େ ଚାଲି ଯାଇଥିଲେ । ଏନେଇ ପୀଡିତାଙ୍କ ପରିବାର ଲୋକ ପୋଲିସକୁ ଜଣାଇବା ପରେ କୁଜଙ୍ଗ ଅଞ୍ଚଳରୁ ସଂପୃକ୍ତ ଆଶାକର୍ମୀଙ୍କୁ ଉଦ୍ଧାର କରାଯାଇଥିଲା । କୁଜଙ୍ଗ ଅଞ୍ଚଳରେ ଦୁଷ୍କର୍ମ ପୀଡ଼ିତା ଆତ୍ମହତ୍ୟା ଉଦ୍ୟମ କରିବା ବେଳେ ପୋଲିସ ତାଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କ ଜିମାରେ ଛାଡିଥିଲା ।

ସେପଟେ ଗିରଫ ହୋଇ ଜେଲରେ ଥିବା ଅଭିଯୁକ୍ତମାନଙ୍କ ଏଯାଏଁ ଟିଆଇ ପରେଡ଼ ହୋଇନାହିଁ । ଏପଟେ ଆଜି ନଗର ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ବାପି ସର୍ଖେଲଙ୍କ ସହ ଅଭିଯୁକ୍ତର ଫଟୋ ବୋଲି ଦର୍ଶାଯାଇ ଏକ ଫୋଟକୁ ପ୍ରଦର୍ଶନ କରାଯାଇଛି । ଏଣୁ ଅଭିଯୁକ୍ତମାନଙ୍କ ଟିଆଇ ପରେଡ଼ ପୂର୍ବରୁ ଦାୟୀତ୍ବବାନ ଗଣମାଧ୍ୟମ ହିସାବରେ ଆମେ ଏହି ଫୋଟକୁ ସର୍ବସାଧାରଣ କରିପାରିବୁ ନାହିଁ ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details