ଜଗତସିଂହପୁର: ସହରରେ ଦିନକୁ ଦିନ ଶିଳ୍ପ ପ୍ରତିଷ୍ଠାନ ଗଢି ଉଠୁଛି । ପାରାଦ୍ବୀପ ବନ୍ଦର ପ୍ରତିଷ୍ଠା ହେବାପରେ ସହରରେ ବହୁତ ଛୋଟ ଓ ବଡ଼ କମ୍ପାନୀ ସେମାନଙ୍କ ଶିଳ୍ପ ପ୍ରତିଷ୍ଠା କରିଛନ୍ତି । ଏହାଦ୍ବାରା ରାଜ୍ୟର ବିକାଶ ହେବା ସହିତ କର୍ମ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । କିନ୍ତୁ ସ୍ଥାନୀୟ ଲୋକଙ୍କ ପାଇଁ କମ୍ପାନୀ କିଛି କରୁନାହିଁ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଛି । ଏନେଇ କୁଜଙ୍ଗ ଠାରେ ଏକ ପ୍ରତିବାଦ ସଭାରେ କ୍ଷୋଭ ପ୍ରକାଶ କରିଛନ୍ତି ଖୋଦ ଶାସକ ଦଳର କର୍ମୀ ।
ପାରାଦ୍ବୀପ ସହରରେ ଗଢ଼ି ଉଠୁଥିବା ଶିଳ୍ପାଞ୍ଚଳକୁ ନେଇ ଶାସକ ଦଳର କର୍ମକର୍ତ୍ତା ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏନେଇ ଶାସକ ବିଜେଡି ଦଳର କର୍ମକର୍ତ୍ତା କହିଛନ୍ତି, "ଶିଳ୍ପ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ପାଇଁ ଅଭିଶାପରେ ପରିଣତ ହୋଇଛି । ସ୍ଥାନୀୟ ଲୋକେ କମ୍ପାନୀକୁ ନିଜ ଭିଟାମାଟି ଦେଇ ସର୍ବସ୍ବାନ୍ତ ହୋଇଛନ୍ତି । କମ୍ପାନୀ ଆରମ୍ଭରେ ଯେଉଁ ପ୍ରତିଶୃତି ଦେଉଛି ତାହା ବାସ୍ତବରେ ପାଳନ କରୁନାହିଁ । ଶିଳ୍ପ ଯୋଗୁଁ ପାରାଦ୍ବୀପ ଉପକଣ୍ଠର 4ଟି ପଞ୍ଚାୟତ ଏବେ ପ୍ରଦୂଷଣର ବଳୟରେ ରହିଛି । ବିଭିନ୍ନ କମ୍ପାନୀ ସେମାନଙ୍କ ବର୍ଜ୍ୟବସ୍ତୁକୁ ସିଧାସଳଖ ତାଳଦଣ୍ଡା କେନାଲକୁ ଛାଡ଼ୁଛନ୍ତି । ଫଳରେ ଜଳ ପ୍ରଦୂଷଣ ବଢି ଚାଲୁଛି ।" ଯାହାକୁ ନେଇ ସ୍ଥାନୀୟ ଲୋକେ କିଡିନୀ ରୋଗ ଭଳି ମାରାତ୍ମକ ରୋଗର ଶିକାର ହେଉଛନ୍ତି ବୋଲି ସେ କହିଛନ୍ତି ।