ଜଗତସିଂହପୁର: ପାରାଦୀପ କୁଜଙ୍ଗ ବନବିଭାଗ ପକ୍ଷରୁ ପାରାଦୀପର ପିପିଏଲ ପରିସର ଓ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି ବାର୍ଷିକ ପକ୍ଷୀଗଣନା କାର୍ଯ୍ୟକ୍ରମ । କୁଜଙ୍ଗ ବନଖଣ୍ଡ ଓ ରାଜନଗର ବନଖଣ୍ଡର ମିଳିତ ସହଯୋଗରେ ଚାଲିଛି ଚଳିତ ବର୍ଷର ପକ୍ଷୀ ଗଣନା କାର୍ଯ୍ୟକ୍ରମ । ବିଗତ ବର୍ଷ ମାନଙ୍କରେ ପାରାଦୀପର ବିଭିନ୍ନ ଅଞ୍ଚଳରେ ବିଦେଶାଗତ ବିଭିନ୍ନ ପ୍ରଜାତିର ପକ୍ଷୀମାନଙ୍କ ଆଗମନ ହୋଇଥିବା ଜଙ୍ଗଲ ବିଭାଗ ଦ୍ବାରା କରାଯାଇଥିବା ଗଣନାରୁ ଜଣାପଡିଥିବାବେଳେ ଚଳିତ ବର୍ଷ ବିଦେଶାଗତ ପକ୍ଷୀ ସଂଖ୍ୟା ବୃଦ୍ଧି ପାଇବା ସହିତ ଭାରତ ବର୍ଷର ବିଭିନ୍ନ ଅଞ୍ଚଳରୁ ପାରାଦୀପ ଅଞ୍ଚଳକୁ ପକ୍ଷୀ ଆଗମନ ବୃଦ୍ଧି ପାଇଥିବା ନେଇ ବନବିଭାଗ ତରଫରୁ ପ୍ରାରମ୍ଭିକ ଆକଳନ କରାଯାଇଛି ।
ପାରାଦୀପ ପିପିଏଲ ପରିସରରେ ରହିଥିବା ଜଳାଶ୍ରୟମାନଙ୍କରେ ପକ୍ଷୀମାନଙ୍କ ପାଇଁ ଅନୁକୂଳ ପରିବେଶ ଓ କଡା ସୁରକ୍ଷା ଦୃଷ୍ଟିରୁ ପ୍ରତ୍ୟେକ ବର୍ଷ ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ଆଗମନ ସହିତ ପିପିଏଲ ପରିସରରେ ରହିଥିବା ଜଳଭଣ୍ଡାରମାନଙ୍କରେ ପକ୍ଷୀ ବଂଶବୃଦ୍ଧି ପାଇବାରେ ସହାୟକ ହୋଇଥାଏ । ପିପିଏଲ ପରିସରରେ ବିଶେଷକରି କଟନ ଟିଲ, ବିଭିନ୍ନ ପ୍ରଜାତିର କିଙ୍ଗଫିସର, ପରପଲ ସ୍ବମଫେନ, ଉଡ଼ ସ୍ୟାଣ୍ଡପାଇପର, କମ୍ବଡକ, ମାର୍ଶ ସ୍ୟାଣ୍ଡପାଇପର, ଗ୍ରେ ପେଲିକାନ ସହିତ ଅନେକ ପ୍ରଜାତିର ବିଦେଶାଗତ ପକ୍ଷୀ ମାନଙ୍କୁ ଦେଖିବାକୁ ମିଳିଥାଏ ।