ଓଡିଶା

odisha

ETV Bharat / state

ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ବାଇକ ଚୋର ଆତଙ୍କ, ଦିନକରେ 2ଟି ଗାଡି ଗାଏବ

ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟ ପରିସରରୁ ବାଇକ ଚୋରି । ଗତକାଲି ସନ୍ଧ୍ୟାରେ ଓହଳ ଗ୍ରାମର ସେକ ଅବଦୁଲ ଅଲ୍ଲୀ ଓ ଚଢେଇ ଗାଁର ପ୍ରତାପ କୁମାର ଦାଶଙ୍କର ବାଇକ ଚୋରି ହୋଇଥିବା ଥାନାରେ ଅଭିଯୋଗ । ଅଧିକ ପଢନ୍ତୁ

ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରୁ ବାଇକ ଚୋରି
ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରୁ ବାଇକ ଚୋରି

By ETV Bharat Odisha Team

Published : Oct 10, 2023, 10:30 AM IST

Updated : Oct 10, 2023, 10:40 AM IST

ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରୁ ବାଇକ ଚୋରି

ଜଗତସିଂହପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଲଟିଛି ଚୋରଙ୍କ ଆଡ୍ଡା ସ୍ଥଳ । କେତେବେଳେ ରୋଗୀ କିମ୍ବା ତାଙ୍କ ସମ୍ପର୍କୀୟଙ୍କ ଠାରୁ ମୋବାଇଲ ଚୋରି ତ ଆଉ କେତେବେଳେ ଗାଡି ଚୋରି ଘଟଣା ଦିନକୁ ଦିନ ବଢିବାରେ ଲାଗିଛି । ଏହାରି ଭିତରେ ଗତକାଲି ସନ୍ଧ୍ୟାରେ ମେଡିକାଲ ପରିସରରୁ ଆଉ 2ଟି ବାଇକ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି ।

ତେବେ ସୂଚନା ମୁତାବକ, ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଓହଳ ଗ୍ରାମର ସେକ ଅବଦୁଲ ଅଲ୍ଲୀ ତାଙ୍କ ପୁତୁରାଙ୍କ ସହ ଜଗତସିଂହପୁର ମେଡ଼ିକାଲ ଆସିଥିଲେ । ସେଠାରେ ତାଙ୍କ ସ୍ତ୍ରୀଙ୍କୁ ଡାକ୍ତର ଦେଖାଇ ଫେରିବା ସମୟରେ ତାଙ୍କ ବାଇକଟି ଚୋରି ହୋଇଯାଇଥିବା ଜାଣିବାକୁ ପାଇଥିଲେ । ଏନେଇ ଅବଦୁଲ ପ୍ରଥମେ ମେଡ଼ିକାଲ ଭିତରେ ଥିବା ପୋଲିସ ଫାଣ୍ଡି ଓ ମେଡ଼ିକାଲ ସୁରକ୍ଷା ବ୍ୟବସ୍ଥା ପାଇଁ ନିୟୋଜିତ ସିକ୍ୟୁରିଟିଙ୍କୁ ଏ ସମ୍ପର୍କରେ ଜଣାଇଥିଲେ । ହେଲେ ତାଙ୍କୁ ଥାନାରେ ଅଭିଯୋଗ କରିବା ପାଇଁ କୁହାଯାଇଥିଲା।

ସେହିପରି ଚଢେଇ ଗାଁର ପ୍ରତାପ କୁମାର ଦାଶ ତାଙ୍କ ସମ୍ପର୍କୀୟଙ୍କ ପାଇଁ ଖାଦ୍ୟ ନେଇ ମେଡ଼ିକାଲକୁ ଗତକାଲି ସନ୍ଧ୍ୟାରେ ଆସିଥିଲେ । ଖାଦ୍ୟ ଦେଇ ଫେରିବା ବେଳକୁ ତାଙ୍କର ହୋଣ୍ଡା ସାଇନ ଗାଡିଟି ଚୋରି ହୋଇ ଯାଇଥିବା ଦେଖିବାକୁ ପାଇଥିଲେ । ପରେ ଗାଡିଟି ନ ମିଳିବାରୁ ଜଗତସିଂହପୁର ଥାନାରେ ସେ ମଧ୍ୟ ଏତଲା ଦେଇଥିବା ଜଣାପଡ଼ିଛି । ତେବେ ପ୍ରତ୍ୟେକ ଦିନ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ହଜାର ହଜାର ରୋଗୀ ଆସୁଛନ୍ତି । ମେଡ଼ିକାଲ ଭିତରେ ଓ ବାହାରେ ପାର୍କିଂ ବ୍ୟବସ୍ଥା କରାଯାଇଥିବା ବେଳେ ସେଠାରେ ପୋଲିସ ଫାଣ୍ଡି ଓ ସିକ୍ୟୁରିଟି ବ୍ୟବସ୍ଥା ରହିଛି । ସେହିପରି ମେଡ଼ିକାଲ ଚତୁଃପାର୍ଶ୍ଵ ସିସିଟିଭି କ୍ୟାମେରାର ବଳୟ ମଧ୍ୟରେ ଥିବାବେଳେ କିପରି ସିରିଏଲ ବାଇକ ଚୋରି ହେଉଛି ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ଏ ସମ୍ପର୍କରେ ଜଗତସିଂହପୁର ପୋଲିସ ଓ ମେଡ଼ିକାଲ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

ଏହା ମଧ୍ୟ ପଢନ୍ତୁ- ବନ୍ଧା ହେଲେ ସୁପର ବାଇକ ଛିନତାଇ ଗ୍ୟାଙ୍ଗ, ଦିନରେ ମାଛ ବେପାର ରାତିରେ କରୁଥିଲେ ଗାଡି ଚୋରି

ପ୍ରକାଶ ଥାଉକି, ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ପିନ୍ସ ଆରୟନ ନାମକ ଜଣେ ସମାଜସେବୀ ପ୍ରତିଦିନ ମେଡିକାଲକୁ ରୋଗୀମାନଙ୍କ ସେବା ପାଇଁ ଯାଇଥାନ୍ତି । ଗତ ଅଗଷ୍ଟ ୨୫ ତାରିଖ ଦିନ ସେ ନିଜ ବାଇକ ସିଟି ସ୍କାନ୍‌ ବିଭାଗ ଆଗରେ ଥିବା ପାର୍କିଂରେ ରଖି ଭିତରକୁ ଜଣେ ରୋଗୀଙ୍କୁ ସାହାଯ୍ୟ କରିବା ପାଇଁ ଯାଇଥିଲେ । ରୋଗୀଙ୍କ ପାଖରୁ ଫେରିବା ପରେ ସେ ଆଉ ବାଇକ ପାଇ ନଥିଲେ । ଏହାପରେ ସେ ମେଡିକାଲ ଫାଣ୍ଡିରେ ଅଭିଯୋଗ କରିଥିଲେ ।

ଇଟିଭି ଭାରତ, ଜଗତସିଂହପୁର

Last Updated : Oct 10, 2023, 10:40 AM IST

ABOUT THE AUTHOR

...view details