ପାରାଦ୍ଵୀପ: ପାରାଦ୍ଵୀପ ସ୍ଥିତ ଆର୍ସେଲର ମିତ୍ତଲ-ନିପ୍ପନ ଷ୍ଟିଲ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଗ୍ରାମବାସୀ । ଦୀର୍ଘ ୧୫ ବର୍ଷ ତଳେ କମ୍ପାନୀକୁ ସହଯୋଗ କରିଥିଲେ, ଏବେ ହକ ପାଇଁ ୧୧ ଦିନ ହେଲା ଖରାରେ ବସିଛନ୍ତି ସେମାନେ। ବିସ୍ଥାପନ ଓ ନିଯୁକ୍ତି ପୂର୍ବରୁ ଜୋର ଜବରଦସ୍ତି ପ୍ରାଚୀର ବୁଲାଉଛି କମ୍ପାନୀ। ଯାହାକୁ ବିରୋଧ କରି ଗ୍ରାମବାସୀ ଧାରଣା ଦେଇଥିବା ବେଳେ ବଳ ପ୍ରୟୋଗ ମଧ୍ୟ କରିଛନ୍ତି । ଏପରିକି ମହାନଦୀକୁ ଡେଇଁବାକୁ ଦେଇଛନ୍ତି ଚେତାବନୀ।
୨୦୦୬ ମସିହାରେ ନୂଆଗଡ଼ ପଞ୍ଚାୟତର ବିଜୟ ଚନ୍ଦ୍ରପୁର ହାଣ୍ଡିଆ ଗ୍ରାମରେ ଏସାର ଷ୍ଟିଲ କାରଖାନା ପ୍ରତିଷ୍ଠା ପାଇଁ ଘୋଷଣା ହୋଇଥିଲା। ଉକ୍ତ ସମୟରେ ସ୍ଥାନୀୟ ଲୋକେ କମ୍ପାନୀକୁ ସହଯୋଗ କରି ଜମି ଯୋଗାଇ ଦେଇଥିଲେ। ଏହି ପ୍ରକଳ୍ପ ପାଇଁ ହାଣ୍ଡିଆ ଗ୍ରାମର ୯୦୯ ପରିବାର ବିସ୍ଥାପିତ ହେବାର ଥିଲା। ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ସେମାନଙ୍କୁ ବିସ୍ଥାପନ କରାଯାଇ ନଥିଲା । ''ଏସାର" କମ୍ପାନୀ ଖର୍ଦି ବିକ୍ରୀ ହେବା ପରେ ଏବେ 'ଆର୍ସେଲର ମିତ୍ତଲ-ନିପ୍ପନ ଷ୍ଟିଲ ' ପରିଚାଳନା କରୁଛି। ଏହି ବିସ୍ଥାପନ କାରଣରୁ ଉକ୍ତ ଗ୍ରାମକୁ ଭଲ ରାସ୍ତା ହୋଇପାରିନାହିଁ । ସେମାନେ ସରକାରୀ ସୁବିଧା ସୁଯୋଗ ପାଇବାରୁ ମଧ୍ୟ ବଞ୍ଚିତ ହେଉଛନ୍ତି। ମାତ୍ର 'ଆର୍ସେଲର ମିତ୍ତଲ-ନିପ୍ପନ' କମ୍ପାନୀ ଏବେ ଉକ୍ତ ଜମିରୁ ମାଟି ଖୋଳି ପ୍ରାଚୀର ନିର୍ମାଣ କରୁଛି।
ଏ ସମ୍ପର୍କରେ ବାରମ୍ବାର ଜିଲ୍ଲା ପ୍ରଶାସନ ଓ କମ୍ପାନୀ କୁ ଅଭିଯୋଗ କରିବା ସହିତ ଗ୍ରାମର ଯୁବକ ମାନଙ୍କୁ ନିଯୁକ୍ତି ଦେବାକୁ ଅନୁରୋଧ କରାଯାଇଥିଲେ ମଧ୍ୟ କମ୍ପାନୀ ଏହାକୁ ପୂରଣ ନକରି ଜୋର ଜବରଦସ୍ତି ପ୍ରାଚୀର ବୁଲାଉଛି। ଯାହାକୁ ବିରୋଧ କରି ଦିର୍ଘ ୧୧ ଦିନ ହେଲା ହାଣ୍ଡିଆ ଗ୍ରାମର ମହିଳା, ପୁରୁଷ ଓ ଛୋଟ ପିଲା ଧାରଣା ଦେଇଛନ୍ତି। ଯଦି କମ୍ପାନୀ ଯୋର ଜବରଦସ୍ତି ପ୍ରାଚୀର ନିର୍ମାଣ କରେ ତେବେ ସପରିବାର ମହାନଦୀକୁ ଡେଇଁ ଆତ୍ମହତ୍ୟା କରିବୁ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ଏସାର ଷ୍ଟିଲ କମ୍ପାନୀକୁ ।