ଓଡିଶା

odisha

ETV Bharat / state

ବିବାଦ ପରେ JSW ପ୍ରକଳ୍ପ ପାଇଁ ଭୂମିପୂଜନ ସମ୍ପନ୍ନ - ଜଗତସିଂହପୁରରେ ଜେଏସଡବ୍ଲୁ ପ୍ରକଳ୍ପ କାର୍ଯ୍ୟ

ବହୁ ବାଦବିବାଦ ଓ ବିରୋଧ ପରେ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଢ଼ିଙ୍କିଆ ଠାରେ ଜେଏସଡବ୍ଲୁ ପ୍ରକଳ୍ପ କାର୍ଯ୍ୟ ପାଇଁ ଭୂମିପୂଜନ ହୋଇଛି । ଅଧିକ ପଢନ୍ତୁ

JSW project
JSW ପ୍ରକଳ୍ପ କାର୍ଯ୍ୟ ଆରମ୍ଭ

By

Published : Mar 19, 2023, 11:49 AM IST

JSW ପ୍ରକଳ୍ପ କାର୍ଯ୍ୟ ଆରମ୍ଭ

ଜଗତସିଂହପୁର:ରକ୍ତପାତ, ବିରୋଧ, ଆନ୍ଦୋଳନ ଗଣ୍ଡଗୋଳ ଭିତରେ ଆରମ୍ଭ ହୋଇଛି ଜେଏସଡବ୍ଲୁ କାର୍ଯ୍ୟ । ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଢ଼ିଙ୍କିଆ ଠାରେ ପ୍ରସ୍ତାବିତ JSW ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି । ବହୁ ବାଦବିବାଦ ଓ ବିରୋଧ ପରେ ଜିଲ୍ଲା ପ୍ରଶାସନର ସହଯୋଗରେ ପ୍ରକଳ୍ପର ପାଇଲିଂ କାର୍ଯ୍ୟ ହୋଇଛି । ପ୍ରକଳ୍ପର ବହୁ ଅଧିକାରୀ ଭୂମିପୂଜନ କରିଛନ୍ତି ।

ପ୍ରଥମେ ୨୦୦୫ ମସିହାରେ ଢିଙ୍କିଆରେ ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ପ୍ରଥମେ ପୋସ୍କୋ କମ୍ପାନୀ ସହିତ ଏମୟୁ ସ୍ବାକ୍ଷରିତ କରିଥିଲେ । ତେବେ ପ୍ରତିବନ୍ଧକ ସାଜିଥିଲା ସ୍ଥାନୀୟ ଲୋକଙ୍କ ବିରୋଧ । ଧାନ ପାନ ଓ ମିନର ଦ୍ବାହିଦେଇ ବିସ୍ଥାପିତ ହେବାକୁ ଥିବା ବହୁ ସ୍ଥାନୀୟ ଲୋକ ଆନ୍ଦୋଳନ ଆରମ୍ଭ କରିଦେଇଥିଲେ । ସ୍ଥାନୀୟ ଅଞ୍ଚଳରେ ଅଭୟ ସାହୁ ଏହାକୁ ନେଇ ପୋସ୍କୋ ସଂଗ୍ରାମ ସମିତି ନାମରେ ଏକ ସଂଗଠନ ଗଢି ଆନ୍ଦୋଳନକୁ ତୀଵ୍ର କରିଥିଲେ । ଏହାକୁ ନେଇ ମଧ୍ୟ ପୋଲିସ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ଜମି ଅଧିଗ୍ରହଣରେ ବାଧା ସୃଷ୍ଟି ହେବାରୁ ବାଧ୍ୟ ହୋଇ ପୋସ୍କୋ କମ୍ପାନୀ ଫେରି ଯାଇଥିଲା ।

ଏହା ବି ପଢନ୍ତୁ....ମାଟ୍ରିକ ପରୀକ୍ଷାରେ ତ୍ରୁଟି ନେଇ ସରକାରଙ୍କ ଉପରେ ଗର୍ଜିଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ

କିଛି ବର୍ଷର ବ୍ୟବଧାନ ପରେ ସେହି ସ୍ଥାନରେ ଷ୍ଟିଲ ପ୍ଲାଣ୍ଟ ସହିତ ସିମେଣ୍ଟ ଓ ଶକ୍ତି ଉତ୍ପାଦନ ପାଇଁ JSW ତାର ପ୍ରକଳ୍ପ କାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ କରିଥିଲା । ରାଜ୍ୟ ସରକାର ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଥିଲେ । ସେ ସମୟରେ ମଧ୍ୟ ଢ଼ିଙ୍କିଆ ଓ ଗଡ଼ କୁଜଙ୍ଗ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଭିଟାମାଟି ପାଇଁ ଲୋକେ ପୋଲିସ ସହିତ ମୁହାଁମୁହିଁ ହୋଇଥିଲେ । 50ରୁ ଅଧିକ ଲୋକ ମଧ୍ୟ ଗିରଫ ହୋଇଥିଲେ । ବହୁ ବାଦ ବିବାଦ ପରେ JSW ତାର ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିଛି । କମ୍ପାନୀର ବରିଷ୍ଠ ଅଧିକାରୀ ମାନଙ୍କ ଉପସ୍ଥିତରେ ଭୂମିପୂଜନ କାର୍ଯ୍ୟ ଶେଷ ହୋଇଛି ।

ସ୍ଥାନୀୟ ଅଞ୍ଚଳରେ ୪୧ଜଣ ଯୁବକ ଯୁବତୀ ମାନଙ୍କୁ କମ୍ପାନୀ ପକ୍ଷରୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ସେମାନଙ୍କୁ ପ୍ରଥମେ ଝାରସୁଗୁଡା jsw ପ୍ରକଳ୍ପରେ କାର୍ଯ୍ୟ କରିବାକୁ ସୁଯୋଗ ମିଳିବ । ପରେ ଏରସମା ଅଞ୍ଚଳରେ କାର୍ଯ୍ୟ ଶେଷ ପରେ ସେମାନଙ୍କୁ ଏଠାରେ ନିଯୁକ୍ତି ଦିଆଯିବ ବୋଲି କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି । ପ୍ରଥମେ କମ୍ପାନୀ ବିସ୍ଥାପିତ ପରିବାରର ଲୋକଙ୍କୁ ଯୋଗ୍ୟତା ଅନୁସାରେ ଚାକିରି ପ୍ରଦାନ କରିବ ବୋଲି କହିଛି । ଯାହାକୁ ନେଇ ସ୍ଥାନୀୟ ଲୋକେ ଖୁସି ବ୍ୟକ୍ତ କରିଛନ୍ତି ।

ପ୍ରକାଶଥାଉ କି, ଗତବର୍ଷ ଜେଏସଡବ୍ଲୁ ପ୍ରକଳ୍ପ ବିରୋଧରେ ଆନ୍ଦୋଳନ ହୋଇଥିଲା । ପ୍ରକଳ୍ପକୁ ନେଇ ଢିଙ୍କିଆରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଜିଲ୍ଲା ପ୍ରଶାସନ ଜବରଦସ୍ତ ପାନବରଜ ଭାଙ୍ଗୁଥିବା ଅଭିଯୋଗ କରି ଗ୍ରାମବାସୀ ବିରୋଧ କରିଥିଲେ । ଏହାକୁ ନେଇ ପୋଲିସ ଓ ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ । ପୋଲିସ ଲାଠିମାଡ କରିଥିଲା ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details