ଜଗତସିଂହପୁର: ଯୁବକ ଜଣକ ଆକ୍ରମଣ କରି ମହିଳାଙ୍କୁ କଲେ ଲହୁଲୁହାଣ । ଏଭଳି ଘଟଣା ଦେଖିବାକୁ ମିଳିଛି ସଦରଥାନା ଅନ୍ତର୍ଗତ ରାମ୍ଭାଦେଇପୁର ପଞ୍ଚାୟତ କୁଳମୁଣ୍ଡିଲ ଗ୍ରାମରେ । ପଞ୍ଚେଇ ଭୋଇ ନାମକ ଜଣେ ଦଳିତ ମହିଳାଙ୍କୁ ବିଚ୍ ରାସ୍ତାରେ ଆକ୍ରମଣ କରିଛି ସେହି ଗ୍ରାମର ଯୁବକ । ସୂଚନାନୁଯାୟୀ ସୁକା ଭୋଇ ନାମକ ଜଣେ ଯୁବକ ଅତି ନିର୍ଦ୍ଦୟ ଭାବେ ମାଡ଼ ମାରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ନେଇ ଜଗତସିଂହପୁର ଥାନାରେ ଅଭିଯୋଗ ହୋଇଛି। ତେବେ ଘଟଣାକୁ ୭ଦିନ ବିତିଯାଇଥିଲେ ମଧ୍ୟ ଜଗତସିଂହପୁର ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ।
ସୂଚନାନୁସାରେ ମହିଳା ଜଣଙ୍କ ଛେଳି ଚରାଇବାକୁ ଯାଉଥିବାବେଳେ ସେହି ଗ୍ରାମର ଜନୈକ ଯୁବକ ତାଙ୍କ ଠାରୁ ଛେଳିକୁ ଛଡାଇ ନେଇଥିଲା। ତେବେ ମହିଳା ଜଣଙ୍କ ତାଙ୍କ ଘରକୁ ଯାଇ ଛେଳି ଆଣିବା ସମୟରେ, ଏହାକୁ ବିରୋଧ କରିବାରୁ ଯୁବକ ଜଣକ ମହିଳାଙ୍କୁ ଏକ ବାଉଁଶ ସାହାଯ୍ୟରେ ମାଡ଼ ମାରିଥିଲା।