ଜଗତସିଂହପୁର:ଆଜି ପବିତ୍ର ଅଁଳା ନବମୀ । ଏନେଇ ଜିଲ୍ଲାର ବିଭିନ୍ନ ମନ୍ଦିରରେ ମହାପ୍ରଭୁଙ୍କ ଅଁଳା ନବମୀ ପୂଜା ଓ ରାଧ ପାଦ ଦର୍ଶନ ଅନୁଷ୍ଠିତ ହୋଇଯାଇଛି । ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ପଞ୍ଚସଖା ପୀଠ ଧ୍ୟାନକୁଦ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ଆଜି ଅଁଳା ନବମୀରେ ମା, ରାଧାରାଣୀଙ୍କୁ ଓଡିଆଣି ବେଶରେ ସଜ୍ଜିତ କରାଯାଇଥିଲା । ଏନେଇ ଆଜି ମନ୍ଦିରରେ ଭକ୍ତଙ୍କ ସମାଗମ ହୋଇଥିଲା । ଶହ ଶହ ଶ୍ରଦ୍ଧାଳୁ ରାଧାରାଣୀଙ୍କ ପାଦ ଦର୍ଶନ କରିଥିଲେ । ଆଜିର ଦିନରେ ରାଧାଙ୍କ ପାଦ ଦର୍ଶନ କଲେ ଅନେକ ଜନ୍ମର ପାପ ଦୁରୀଭୂତ ହୋଇଥାଏ ବୋଲି ବିଶ୍ବାମ ରହିଛି । ଶ୍ରୀ ଜଗନ୍ନାଥଙ୍କ ଏହି ପୀଠରେ ଥିବା ଅନେକ ହାବିଷ୍ୟାଳୀ ଓ ଶ୍ରଦ୍ଧାଳୁମାନେ ରାଧାରାଣୀଙ୍କ ପାଦ ଦର୍ଶନର ସୌଭାଗ୍ୟ ଲାଭ କରିଥିଲେ ।
କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥିକୁ ଅଁଳା ନବମୀ ଭାବରେ ପାଳନ କରାଯାଏ । ଏହାକୁ ଅକ୍ଷୟ ନବମୀ ବୋଲି ମଧ୍ୟ କୁହାଯାଏ । ଆଜି ରାଧାପାଦ ମଧ୍ୟ ଦର୍ଶନ କରିବାର ସୌଭାଗ୍ୟ ପାଇଥାନ୍ତି ଶ୍ରଦ୍ଧାଳୁ । କୋରୋନା ମହାମାରୀ ପାଇଁ 2 ବର୍ଷ ପରେ ରାଧାପାଦ ଦର୍ଶନ ପାଇଁ ସୁଯୋଗ ପାଇଛନ୍ତି ଶ୍ରଦ୍ଧାଳୁ । ହିନ୍ଦୁ ଧର୍ମରେ ଅଁଳା ନବମୀର ବିଶେଷ ମହତ୍ତ୍ବ ରହିଛି । ଏହି ଦିନ ଅଁଳା ଗଛକୁ ପୂଜା କରାଯାଏ । ଏହା ଦ୍ବାରା ଅଖଣ୍ଡ ସୌଭାଗ୍ୟ ଆରୋଗ୍ୟ ଓ ସୁଖ ପ୍ରାପ୍ତି ହୁଏ ବୋଲି ପ୍ରତିଟି ଓଡିଆଙ୍କ ମନରେ ବିଶ୍ବାସ ରହିଛି । ଏହି ଦିନ ଦାନ ପୂଣ୍ୟ କଲେ ଏହି ଜନ୍ମ ସହ ଆସନ୍ତା ଜନ୍ମରେ ମଧ୍ୟ ଫଳ ମିଳିଥାଏ ।