ଜଗତସିଂହପୁର: ପୋସ୍କୋ ପରି ଜିଲ୍ଲାରେ ପ୍ରସ୍ତାବିତ ଜିନ୍ଦଲ(JSW) ପ୍ରକଳ୍ପ ନେଇ ତେଜୁଛି ବିରୋଧ ସ୍ବର । ଏରସମା ବ୍ଲକ ଅନ୍ତର୍ଗତ ଢ଼ିଙ୍କିଆ ଚାରିଦେଶରେ ପ୍ରସ୍ତାବିତ jswକୁ ବିରୋଧ କରି ଆସୁଛନ୍ତି ସ୍ଥାନୀୟ ଲୋକ । ପ୍ରକଳ୍ପ ନେଇ ଜିଲ୍ଲା ପ୍ରଶାସନ ଓ କମ୍ପାନୀ କର୍ତ୍ତୃପକ୍ଷ ଆଗକୁ ବଢୁଥିବାବେଳେ ପ୍ରକଳ୍ପରୁ ବିରୋଧ ପାଇଁ ସଜବାଜ ହେଉଛନ୍ତି ସ୍ଥାନୀୟ ବାସିନ୍ଦା । ବୁଧବାର ଗ୍ରାମବାସୀମାନେ ଏକ ବୈଠକ କରି ସମୂର୍ଣ୍ଣ ଗ୍ରାମକୁ ସିଲ କରିଛନ୍ତି । ଢ଼ିଙ୍କିଆ ଗାଁକୁ କାହାକୁ ପ୍ରବେଶ କରାଇବା ଉପରେ ରୋକ ଲଗାଇବା ସହିତ ଗ୍ରାମର ତିନୋଟି ପ୍ରବେଶ ଦ୍ବାରରେ ଫାଟକ ନିର୍ମାଣ କରିଛନ୍ତି ।
ଫାଟକ ଦେଇ କୌଣସି ସରକାରୀ ଅଧିକାରୀଙ୍କୁ ପ୍ରବେଶ କରାଇ ନ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଶିଳ୍ପ ସଂସ୍ଥାର କର୍ମକର୍ତ୍ତା ,ପୋଲିସକୁ ଲୋକେ ଜଗି ବସିଛନ୍ତି। ଯାହାକୁ ନେଇ ପୋଲିସ ପ୍ରଶାସନ ଓ ଗ୍ରାମବାସୀମାନଙ୍କ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଛି । ବୁଧବାର ଦ୍ବିତୀୟ ଦିନରେ ବରିଷ୍ଠ ସାମ୍ବାଦିକ ରବିଦାସ ଓ ଓଡିଶା ଜନ ଆନ୍ଦୋଳନର ଆବାହକ ପ୍ରଫୁଲ ସାମନ୍ତରାୟ, ପୂର୍ବତନ ବିଧାୟକ ନରେନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଶିଳ୍ପ ନାମରେ ପୋଲିସର ଦମନ ଲୀଳାକୁ ବରଦାସ୍ତ କରାଯିବନି ବୋଲି କହିଛନ୍ତି । ଶହ ଶହ ବର୍ଷ ଧରି ଜଙ୍ଗଲ ଜମି ଉପରେ ନିର୍ଭର କରି ଚଳି ଆସୁଥିବା ନିରୀହ ଲୋକଙ୍କ ଉପରେ ପୋଲିସ ଜୁଲମ କରୁଥିବା ସେମାନେ ଅଭିଯୋଗ କରିଛନ୍ତି ।