ପାରାଦ୍ବୀପ: ମତ୍ସଜୀବୀଙ୍କ ପାଇଁ ଖୁସି ଖବର । ସରକାରୀ କଟକଣା ପାଇଁ ଅନେକ ଦିନ ଧରି ବନ୍ଦ ପଡିଥିବା ମାଛ ବନ୍ଦର ଏବେ ଚଳଚଞ୍ଚଳ ହୋଇଛି । ଦୁଇମାସ ପରେ ପୁଣି ପାରାଦ୍ବୀପ ବନ୍ଦର ସମୁଦ୍ରରେ ମାଛ ଧରିବା ଆରମ୍ଭ କରିଛନ୍ତି ମତ୍ସଜୀବୀ ।
ଦୁଇମାସ ପରେ ଖୋଲିଲା ମାଛଧରା ବନ୍ଦର ପ୍ରତିବର୍ଷ ଏପ୍ରିଲ 15ରୁ ଜୁନ 14 ତାରିଖ ପର୍ଯ୍ୟନ୍ତ ମାଛବଂଶ ବୃଦ୍ଧି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସମୁଦ୍ରରେ ମାଛ ଧରିବା ଉପରେ କଟକଣା ଜାରି କରାଯାଇଥାଏ । ତେବେ ଚଳିତବର୍ଷ ଦୁଇମାସର ଅବଧି ଶେଷ ହେବା ପରେ ଜୁନ୍ ୧୫ରୁ ମାଛ ଧରିବା ପାଇଁ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ମାଛ ମାରିବା ପାଇଁ ବାହାରିଛନ୍ତି । ଏନେଇ ସହରର ନେହେରୁ ବଙ୍ଗଳାରେ ଥିବା ମାଛଧରା ବନ୍ଦର ଏବେ ଚଳଚଞ୍ଚଳ ହୋଇ ଉଠିଛି । ମତ୍ସ୍ୟଜୀବୀମାନେ ଦୁଇ ମାସ ଘରେ ବସିବା ପରେ ଏବେ ମତ୍ସ୍ୟଜୀବୀ ମାନଙ୍କ ମୁହଁରେ ହସ ଫୁଟିଛି । କୋରୋନା ପ୍ରଭାବିତ ହୋଇଥିବା ୫୦ହଜାରରୁ ଉର୍ଦ୍ଧ୍ବ ମତ୍ସଜୀବୀ ଉପକୃତ ହୋଇପାରିବେ ।
କୋରୋନା କଟକଣା ପାଇଁ ଗାଡି ଚଳାଚଳ ବନ୍ଦ ଥିବାରୁ ଅନେକ ମତ୍ସଜୀବୀ ବନ୍ଦର ଆସିପାରନ୍ତି ନାହିଁ । ଫଳରେ ମାଛ ବେପାର ମଧ୍ୟ ଠପ ହୋଯାଇଥିଲା । କଟକଣା ହଟିବା ପରେ ପୂର୍ବ ପରି ସେମାନେ ପୁଣି ମାଛ ଧରିବାକୁ ସମୁଦ୍ରକୁ ଯାଇଛନ୍ତି । ଟ୍ରଲରଗୁଡିକ ସମୁଦ୍ରକୁ ମାଛ ମାରିବା ପାଇଁ ଯିବା ପୂର୍ବରୁ ବରୁଣ ଦେବତାଙ୍କୁ ପୂଜା କରାଯାଇଛି । ଏବର୍ଷ ସମୁଦ୍ରରେ ଭଲ ମାଛ ହେବ ବୋଲି ଟ୍ରଲର ମାଲିକ ଓ ମତ୍ସ୍ୟଜୀବୀ ମାନେ ଆଶା ରଖିଛନ୍ତି ।
ଅନ୍ୟପଟେ ମତ୍ସ୍ୟ ଶିଳ୍ପ ଉପରେ ନିର୍ଭର କରି ଚଳୁଥିବା ୫୦ହଜାରରୁ ଉର୍ଦ୍ଧ୍ବ ମତ୍ସ୍ୟଜୀବୀମାନେ ମାଛ ବ୍ୟବସାୟକୁ ନେଇ ଆଶା ଆଉ ଆଶଙ୍କାରେ ରହିଥିବା ବେଳେ ସରକାର ମତ୍ସ୍ୟଶିଳ୍ପ ଉପରେ ଦୃଷ୍ଟି ଦେବା ପାଇଁ ଦାବି ହେଉଛି । ଧୀରେ ଧୀରେ ବୁଡି ଯାଉଥିବା ମତ୍ସ୍ୟ ଶିଳ୍ପକୁ ବଞ୍ଚାଇବାକୁ ସରକାର ଡିଜେଲ ତୈଳର ସବସିଡ୍ ଓ ମାଛ ରପ୍ତାନୀ ଉପରେ ଦୃଷ୍ଟି ଦେବା ପାଇଁ 'ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ' ଦାବି କରିଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ