ଜଗତସିଂହପୁର: ପାରାଦ୍ଵୀପ- ଆଇଓସିଏଲରେ ପ୍ରତିଷ୍ଠା ହେବ ପାରାକ୍ସାଇଲିନ ଏବଂ ପ୍ୟୁରିଫାଏଡ ଟେରେଫଥାଲିକ ଏସିଡ ପ୍ଲାଣ୍ଟ । ଖର୍ଚ୍ଚ ହେବ ୧୧ ହଜାର ୭୮୩ କୋଟି ଟଙ୍କା । ଏଥିପାଇଁ ମଙ୍ଗଳବାର ମ୍ୟୁନିସିପାଲଟି କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଛି ଜନଶୁଣାଣି । ଏହି ପ୍ରକଳ୍ପରେ ସ୍ଥାୟୀ ନିଯୁକ୍ତି ପାଇବେ ମାତ୍ର ୨୧ ଜଣ ଶ୍ରମିକ । ଯାହାକୁ ନେଇ ଜନଶୁଣାଣିରେ ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ଆଇଓସିଏଲ ଏବଂ ପେଟ୍ରୋକେମିକାଲ କମ୍ପ୍ଲେକ୍ସ ପାରାଦ୍ଵୀପର ମିଳିତ ସହଯୋଗରେ ଏହି ପ୍ରକଳ୍ପ ପ୍ରତିଷ୍ଠା କରାଯିବ । ବାର୍ଷିକ ୧.୨ ମିଲିୟନ ନିୟୁତ ମେଟ୍ରିକ୍ ଟନର ଏହି ପ୍ରକଳ୍ପ ପାଇଁ ରାଜ୍ୟ ଆଞ୍ଚଳିକ ପ୍ରଦୂଷଣ ବୋର୍ଡ ପାରାଦ୍ଵୀପ ଶାଖା ପକ୍ଷରୁ ଜନଶୁଣାଣି ଶିବିର ଡକା ଯାଇଥିଲା । ପାରାଦ୍ଵୀପ ଅତିରିକ୍ତ ଜିଲ୍ଲାପାଳ କାହ୍ନୁଚରଣ ଧୀରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଜନଶୁଣାଣିରେ ଆଇଓସିଏଲ ନିକଟସ୍ଥ ଢ଼ିଙ୍କିଆ, ବଗଦିଆ, ଝିମାଣୀ, ଗଡ଼, ଗୋବିନ୍ଦପୁର ଅଞ୍ଚଳର ଲୋକେ ସାମିଲ ହୋଇଥିଲେ । ଆଇଓସିଏଲ ପ୍ରକଳ୍ପ ପାଇଁ ଜମି ହରାଇଥିବା ୧ ହଜାର ୭୫୨ ପରିବାର ଓ ୧୪୩ ବିସ୍ଥାପିତ ପରିବାରଙ୍କୁ ନିଯୁକ୍ତି କିମ୍ୱା ଆତ୍ମନିଯୁକ୍ତି ଦେବାରେ ଆଇଓସିଏଲ କର୍ତ୍ତୃପକ୍ଷ ସକ୍ଷମ ହୋଇପାରିନାହିଁ।