ଜଗତସିଂହପୁର: ଜିଲ୍ଲାରେ କୋଭିଡ ଟିକା ପହଞ୍ଚିବାରେ ବିଳମ୍ବ ହେତୁ ଟିକାଦାନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । ଜିଲ୍ଲା ସମସ୍ତ ଉପ ସ୍ୱାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ମୋଟ 44ଟି ଟିକାଦାନ କେନ୍ଦ୍ରରେ ଗତ ଦୁଇଦିନ ହେବ ଟୀକାଦାନ ପ୍ରକ୍ରିୟା ବନ୍ଦ ରହିଥିବା ଦେଖିବାକୁ ମିଳିଛି ।
କୋରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ଆରମ୍ଭ ହୋଇଯାଇଥିବା ଖବର ପ୍ରଚାରିତ ହେବା ପରେ ଲୋକେ ଟିକାଦାନ କେନ୍ଦ୍ରରେ ଆସି ଭିଡ଼ ଜମାଉଛନ୍ତି । କିନ୍ତୁ ଟିକା ଅଭାବରୁ ଲୋକେ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳିଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ସମସ୍ତ 44 ଟି ଟିକାଦାନ କେନ୍ଦ୍ରରେ 5 ହଜାର ଲୋକଙ୍କୁ ଟିକା ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଛି । କିନ୍ତୁ ପ୍ରତ୍ୟେକ ଦିନ 7 ରୁ 8 ହଜାର ଲୋକେ ଟିକା ନେବା ପାଇଁ ଆସୁଥିବାରୁ ଜିଲ୍ଲାରେ ଟିକା ସଙ୍କଟ ଦେଖା ଦେଇଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।