ପାରାଦ୍ବୀପ:ବାତ୍ୟା 'ସିତ୍ରାଙ୍ଗ' ପାଇଁ ଅଶାନ୍ତ ହୋଇଉଠିଛି ସମୁଦ୍ର । ଏହା ଧୀରେ ଧୀରେ ତୀବ୍ର ହେବା ସହ ସମୁଦ୍ର ମଧ୍ୟରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସମୁଦ୍ର ମଧ୍ୟରେ ବିପଦର ସାମ୍ନା କରିବା ପରେ ଆନ୍ଧ୍ରପ୍ରଦେଶର ୪୦ଟି ବୋଟକୁ ପାରାଦ୍ବୀପ ବନ୍ଦରରେ ଆଶ୍ରୟ ଦିଆଯାଇଛି । ଏଥିରେ ଥିବା ମତ୍ସ୍ୟଜୀବୀମାନେ ପାରାଦ୍ବୀପ ବନ୍ଦରରେ ଆଶ୍ରୟ ନେଇଥିବା ଜଣାପଡ଼ିଛି ।
ବାତ୍ୟା ସି-ତ୍ରାଙ୍ଗକୁ ନେଇ ସମୁଦ୍ର ଅଶାନ୍ତ ରହିବା ସହିତ ଲଘୁଚାପ ଜନିତ ବାତ୍ୟା ପ୍ରଭାବରେ ସମୁଦ୍ରରେ ଉଚ୍ଚ ଢେଉ ଆସୁଛି । ଏହି କାରଣରୁ ଆନ୍ଧ୍ର ପ୍ରଦେଶର ମତ୍ସ୍ୟଜୀବୀ ମାନେ ପାରାଦ୍ବୀପ ଉପକୂଳରେ ଫିସିଙ୍ଗ କରୁଥିବା ସମୟରେ ନିଜକୁ ଅସୁରକ୍ଷିତ ମଣିବା ସହିତ ସମସ୍ତ ମତ୍ସ୍ୟଜୀବୀ ମାନେ ବୋଟକୁ ଭିତରକନିକା ଅଞ୍ଚଳରେ ପ୍ରବେଶ କରିଥିଲେ । ପରେ ପ୍ରତିକୂଳ ପାଣିପାଗ କାରଣରୁ ମତ୍ସ୍ୟଜୀବୀ ମାନେ ନିଜର ଟ୍ରଲରକୁ ସୁରକ୍ଷିତ ରଖିବା ପାଇଁ ବନ୍ଦରରେ ଆଶ୍ରୟ ନେବାକୁ ପାରାଦ୍ବୀପ ବନ୍ଦର ପକ୍ଷରୁ ଅନୁମତି ଦିଆଯାଇଛି । ବର୍ତ୍ତମାନ ସମସ୍ତ ୪୦ଟି ଆନ୍ଧ୍ର ବୋଟ ଓ ମତ୍ସ୍ୟଜୀବୀ ମାନେ ସୁରକ୍ଷିତ ଭାବରେ EQ1 ବର୍ଥରେ ଅଛନ୍ତି ।
ସେପଟେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁସାରେ ସକ୍ରିୟ ହୋଇଛି ସିତ୍ରାଙ୍ଗ । ଆଗାମୀ ୬ ଘଣ୍ଟା ମଧ୍ୟରେ ବାତ୍ୟା ସିତ୍ରାଙ୍ଗ ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ଘଣ୍ଟା ପ୍ରତି ୩୧ କିଲୋମିଟର ବେଗରେ ଉତ୍ତର ଉତ୍ତରପୂର୍ବ ଦିଗରେ ଗତି କରୁଛି । ୪୦୦ କିମି ଦକ୍ଷିଣକୁ ସାଗର ଦ୍ବୀପପୁଞ୍ଜ ଓ ତାସହିତ ଦକ୍ଷିଣ ଦକ୍ଷିଣପଶ୍ଚିମ ଦିଗରେ ୫୮୦ କିଲୋମିଟର ଦୂରତ୍ବରେ ରହିଛି । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେବ ।