ଜଗତସିଂହପୁର:ଦାଉ ସାଧିଲା ଦଇବ । ଯେମିତି ସୁନାର ସଂସାର ଉପରେ ପଡିଗଲା କାହାର ଖରାପ ନଜର । ଆଉ କିଛି ସମୟ ଭିତରେ ବଦଳିଗଲା ପରିବାରର ଚିତ୍ର । ଘରର ରୋଜଗାରିଆ ପୁଅ ହରାଇଲା ମାନସିକ ଭାରସାମ୍ୟ । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଗରାମ ପଞ୍ଚାୟତ ବନଦୁର୍ଗା ଗ୍ରାମର ସୁକାନ୍ତ ଜେନା। ବୟସ ପାଖାପାଖି 40 ହେବ । ସ୍ତ୍ରୀ, ଦୁଇ ପିଲା ଓ ବୃଦ୍ଧା ମାଆକୁ ନେଇ ତାଙ୍କର ସଂସାର। ପରିବାର ପ୍ରତିପୋଷଣ ପାଇଁ ଯାଇଥିଲେ ସୁଦୂର ହାଇଦ୍ରାବାଦର ଏକ ଘରୋଇ କମ୍ପାନୀରେ ସେ କାମ କରିବା ପାଇଁ ଯାଇଥିଲେ ।
ହେଲେ ବିଧିର ବିଧାନ କିଛି ଭିନ୍ନ ଥିଲା । ହଠାତ ମାନସିକ ରୋଗର ଶିକାର ହୋଇଥିଲେ ସୁକାନ୍ତ। କମ୍ପାନୀ ଲୋକ ସୁକାନ୍ତଙ୍କୁ ଗାଁରେ ଛାଡ଼ିଦେଇ ଚାଲିଗଲେ।ପୁଅର ଏମିତି ଅବସ୍ଥା ଦେଖି ମାଆ ଧୋବିଲତାଙ୍କ ମୁଣ୍ଡରେ ପଡିଥିଲା ଚଡକ । ଘରେ ଯାହା ଯୋଉଠି ଥିଲା ବିକି ଭାଙ୍ଗି ସୁକାନ୍ତକୁ କଟକ ନିଆଗଲା। ହେଲେ ଚିକିତ୍ସାରେ ଅର୍ଥ ସାଜିଲା ବାଧକ । ହସ୍ପିଟାଲରୁ ଘରକୁ ଫେରାଇ ଆଣିଲେ ପରିବାର । ଏହି ଘଟଣାକୁ ବିତିଗଲାଣି 15 ବର୍ଷ । 4 ବର୍ଷ ତଳେ ତାଙ୍କ ସ୍ଥିତି ଅଧିକ ଖରାପ ହେବାରୁ ପଡିଶା ଓ ପରିବାର ତାଙ୍କୁ ଲୁହା ଶିକୁଳିରେ ବାନ୍ଧି ରଖିଛନ୍ତି ।