ଜଗତସିଂହପୁର:ଜଗତସିଂହପୁରର ମୋଟ ୩୫ଟି ଗ୍ରାମ ସୁନାମି ପ୍ରବଣ ଭାବେ ଚିହ୍ନଟ ହୋଇଛି । ସେଗୁଡିକ ମଧ୍ୟରେ ଜଗତସିଂହପୁର ଜିଲ୍ଲାର ବାଲିକୁଦା, ଏରସମା ଓ କୁଜଙ୍ଗ ବ୍ଲକର ୨୫ଟି ଗାଁ ସୁନାମି ପ୍ରବଣ ହୋଇଥିବା ବେଳେ ପାରାଦ୍ୱୀପ ସହରର ୧୦ଟି ୱାର୍ଡ ଅତି ସୁନାମୀ ପ୍ରବଣ ହୋଇଥିବା ଚିହ୍ନଟ କରାଯାଇଛି । ସମ୍ଭାବ୍ୟ ସୁନାମୀର ମୁକାବିଲା ପାଇଁ ଜିଲ୍ଲାପାଳ ପାରୁଲ ପଟାୱାରୀ ମାଷ୍ଟର ଟ୍ରେନରମାନଙ୍କ ସହ ଆଲୋଚନା କରିଛନ୍ତି । ସୁନାମି ପ୍ରବଣ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ କିଭଳି ସୁନାମିକୁ ନେଇ ସଚେତନ କରାଯାଇ ପାରିବ ସେନେଇ ଏକ କମିଟି ଗଠନ କରାଯାଇଛି । ସୁନାମି ପ୍ରବଣ ଅଞ୍ଚଳରେ ମାଷ୍ଟର ଟ୍ରେନରଙ୍କୁ ନିୟୋଜିତ କରାଯିବା ସହିତ ସ୍ଥାନୀୟ ଲୋକଙ୍କୁ ସୁନାମି ବାବଦରେ ପ୍ରଶିକ୍ଷଣ ଦିଆ ଯିବାକୁ ନିଷ୍ପତ୍ତି ହୋଇଛି । ଓଡ଼ିଶାରେ ମୋଟ ୩୮୧ଟି ଗାଁ ସୁନାମୀ ପ୍ରବଣ ହୋଇଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ୩୫ଟି ଗାଁକୁ ସୁନାମି ପ୍ରବଣ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି ।
ସୁନାମି ଆସିବାର ଲକ୍ଷଣ: ସୁନାମି ଆସିବାର ୩କିମ୍ବା ୪ଘଣ୍ଟା ପୂର୍ବରୁ ଧୀରେଧୀରେ ସମୁଦ୍ରର ଜଳ ଶୁଷ୍କ ହୋଇଯାଇଥାଏ । ରାଡ଼ାରରେ ଲାଗିଥିବା ସାଇରନ ବାଜି ଉଠିଥାଏ । ଏହାର ସୂଚନା ମିଳିବା ପରେ ଜନ ସାଧାରଣମାନଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯିବା ଆବଶ୍ୟକ ରହିଥାଏ । ସୁନାମୀ ଏକ ଜାପାନୀ ଶବ୍ଦ ହୋଇଥିବା ବେଳେ ସମୁଦ୍ରରେ ଜଳ ସ୍ଥଳ ଭାଗକୁ ମାଡି ଆସିବାକୁ ସୁନାମି କୁହାଯାଏ ।। ସମୁଦ୍ର ମଧ୍ୟରେ ଭୂ-କମ୍ପନ, ଆଗ୍ନେୟଗିରିରୁ ଲାଭା ଉଦ୍ଗିରଣ, ଭୂ-ସ୍ଖଳନ ଓ ଧୁମକେତୁ ସମୁଦ୍ରରେ ପତିତ ହେଲେ ସୁନାମୀ ସଂଗଠିତ ହୋଇଥାଏ । ଏହାଦ୍ୱାରା ସମୁଦ୍ରର ପାଣି ଘଣ୍ଟାପ୍ରତି ୪୫୦ ରୁ ୬୫୦ ମାଇଲ ବେଗରେ ସ୍ଥଳଭାଗକୁ ମାଡି ଆସିଥାଏ ।