ଓଡିଶା

odisha

ETV Bharat / state

ବନ୍ଧୁତ୍ବ ଦିବସ: ଗଛ ସହ ମିତ ବସିଲେ ବ୍ରହ୍ମପୁର ବାସୀ - ଫ୍ରେଣ୍ଡସିପ ବ୍ୟାଣ୍ଡ

ବ୍ରହ୍ମପୁରରେ ନିଆରା ଢଙ୍ଗରେ ପାଳନ ହେଲା ବନ୍ଧୁତ୍ବ ଦିବସ । ଗଛରେ ଫ୍ରେଣ୍ଡସିପ ବ୍ୟାଣ୍ଡ ବାନ୍ଧିଲେ ଯୁବପିଢୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

By

Published : Aug 4, 2019, 7:22 PM IST

ବ୍ରହ୍ମପୁର: ବନ୍ଧୁତ୍ୱ ଦିବସକୁ ନେଇ ଯୁବପିଢ଼ୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ। ତାରକା ହୋଟେଲ୍‌ଠାରୁ ଆରମ୍ଭ କରି ରେସ୍ତୋରାଁ, କେକ୍‌ ସପ୍‌, ସବୁଠି ସ୍ୱତନ୍ତ୍ର ପ୍ରସ୍ତୁତି । ମାନ-ଅଭିମାନ, ରାଗ-ରୁଷା ଓ ପ୍ରେମ-ବିଶ୍ୱାସକୁ ନେଇ ଗଢ଼ି ଉଠିଥିବା ବନ୍ଧୁତ୍ୱକୁ ଆଉ ଦୁଇ ପାଦ ଆଗକୁ ନେବା ପାଇଁ ବନ୍ଧୁମାନଙ୍କ ଆୟୋଜନ କରାଯାଉଛି ଭଳିକି ଭଳି କାର୍ଯ୍ୟକ୍ରମ । କେଉଁଠି ଯୁବବର୍ଗ ଫ୍ରେଣ୍ଡସିପ୍ ବ୍ୟାଣ୍ଡ ବାନ୍ଧି ପରସ୍ପର ଶୁଭେଚ୍ଛା ଜଣାଉଥିବା ବେଳେ ଆଉ କେଉଁଠି ଆୟୋଜିତ ହେଉଛି ନାଚଗୀତର ଆସର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

କିନ୍ତୁ ରେଶମ ସହର ବ୍ରହ୍ମପୁରରେ ନିଆରା ଢଙ୍ଗରେ ପାଳନ କରାଯାଇଛି ବିଶ୍ୱ ବନ୍ଧୁତା ଦିବସ । ଜିଲ୍ଲା ପ୍ରଶାସନ, ନିର୍ବାଚିତ ପ୍ରତିନିଧି ଏବଂ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ ସହରର ପୁରାତନ ଗଛ ଗୁଡିକୁ ପୂଜାର୍ଚ୍ଚନା କରାଯିବା ସହ ବୃକ୍ଷରୋପଣ ଓ ବୃକ୍ଷର ଯତ୍ନ ନେବା ପାଇଁ ସମସ୍ତେ ଶପଥ ନେଇଛନ୍ତି ।

ଜିଲ୍ଲାରେ ପିଲାଟିଏ ଗଛଟିଏ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଉପସ୍ଥିତିରେ ସହରର ପୁରାତନ ବୃକ୍ଷକୁ ପୁଜାର୍ଚ୍ଚନା କରାଯିବା ସହ ସେଥିରେ ଫ୍ରେଣ୍ଡସିପ୍ ବ୍ୟାଣ୍ଡ ବନ୍ଧାଯିବା ଦେଖିବାକୁ ମିଳିଛି । ଏପରିକି ସାରା ସହରରେ ବୃକ୍ଷରୋପଣ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏଥି୍ସହ ବ୍ରହ୍ମପୁର ସାଂସଦ ଓ ବିଧାୟକଙ୍କ ସହ ନିର୍ବାଚିତ ପ୍ରତିନିଧିଙ୍କ ଉପସ୍ଥିତ ରହି ବୃକ୍ଷ ଗୁଡିକର ସୁରକ୍ଷା ପାଇଁ ନେଇଥିଲେ ଶପଥ ପାଠ ।

ସହରର ସବୁଜ ବାହିନୀର, ଆର୍ଯ୍ୟଭଟ ଫାଉଣ୍ଡେସନ, ବିଡିଏ ଓ ବିଏମସି କର୍ତ୍ତୁପକ୍ଷଙ୍କ ସମେତ ସ୍କୁଲ କଲେଜର ଏନସିସି ସ୍କାଉଟ ଛାତ୍ରଛାତ୍ରୀମାନେ ଏହି ଅବସରରେ ସହରର ରାମଲିଙ୍ଗେଶ୍ୱର ବନ୍ଧ ପାର୍ଶ୍ବରୁ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ସହ ମହାନଗର ନିଗମ ପରିସରରେ ପହଞ୍ଚି ମାନବ ସମାଜ ଓ ପରିବେଶକୁ ସୁରକ୍ଷା ପାଇଁ ବୃକ୍ଷର ଆବଶ୍ୟକତା ସଂପର୍କରେ ଆଲୋକପାତ କରିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details