ବ୍ରହ୍ମପୁର:କୋର୍ଟରୁ ଫେରିବା ବାଟରେ ଯୁବକଙ୍କୁ ଅପହରଣ ଅଭିିଯୋଗ । ଅପହୃତ ପୁଅକୁ ଫେରାଇ ଆଣିବାକୁ ଏସପିଙ୍କୁ ଗୁହାରି କଲେ ପରିବାର ଲୋକେ । ଏଭଳି ଘଟଣା ସାମ୍ନାକୁ ଆସିଛି ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଥାନା କେ.ଖରିଡା ଗ୍ରାମରୁ । ନିଖୋଜ ଯୁବକ ହେଲେ ଦୀପୁ ପାତ୍ର । ତାଙ୍କୁ ଅପହରଣ କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ୩୦ ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିଲେ ହେଁ ପୁଅର ଖୋଜଖବର ନମିଳିବାରୁ ମାଆ ଏସ୍ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
ଏହା ମଧ୍ୟ ପଢନ୍ତୁ: ପୁରୀରେ ଗଡିଲା ମୁଣ୍ଡ, ଜମିବାଡ଼ି ବିବାଦରୁ ଦାଦାକୁ ହାଣିଲା ପୁତୁରା !
ସୂଚନା ଅନୁଯାୟୀ, କେ.ଖରିଡା ଗ୍ରାମର ଦୀପୁ ପାତ୍ର ଶୁକ୍ରବାର ନିଜର ଜଣେ ସାଙ୍ଗ ସହ କୋଦଳା ଥାନା ଅନ୍ତର୍ଗତ ଅତିରିକ୍ତ ଜିଲ୍ଲା ଦୌରାକୋର୍ଟକୁ ଯାଇଥିଲେ । ସେଠାରେ କୌଣସି କାରଣକୁ ନେଇ ଓକିଲଙ୍କ ସହ କଥାବର୍ତ୍ତା ହୋଇ ଘରକୁ ଫେରୁଥିଲେ । ହେଲେ ଫେରିବା ବାଟରେ ୪ରୁ ୫ ଜଣ ଦୁର୍ବୃତ୍ତ ତାଙ୍କୁ ଉଠେଇ ନେଇଥିଲେ । ପରିବାର ଲୋକେ ତାଙ୍କ ବହୁ ଖୋଜାଖୋଜି କରିଥିଲେ ହେଁ ତାଙ୍କର କୌଣସି ଖୋଜଖବର ମିଳିନଥିଲା । ଏହାପରେ ଦୀପୁଙ୍କୁ ମାଡ଼ ମରାଯାଉଥିବାର ଏକ ଫଟୋ ତାଙ୍କର ଅନ୍ୟ ଜଣେ ସାଙ୍ଗର ମୋବାଇଲକୁ ଆସିଥିଲା । ଯାହାକୁ ନେଇ ପୁରା ପରିବାର ଚିନ୍ତାରେ ପଡିଥିଲେ ।