ଭଞ୍ଜନଗର: ସରୁନି ଚଷା ପୁଅର ଦୁଃଖ । କେତେବେଳ ରୋଗପୋକ ତ ଆଉ କେତେବେଳେ ଅଦିନିଆ ବର୍ଷାରେ ଚାଷୀର ସୁନାର ଫସଲ ଧୋଇ ହୋଇ ଯାଉଛି । ଆଉ ଏବେ ଚାଷୀଙ୍କ ପାଇଁ କାଳ ସାଜିଛି ଅଦିନିଆ ଲଗାଣ ବର୍ଷା । ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ନେଟେଙ୍ଗା ପଞ୍ଚାୟତର ବହୁ ଚାଷ ଜମିରେ ପାଣି ଲହଡି ଭାଙ୍ଗୁଛି । ଚଳିତ ଲଘୁଚାପ ଜନିତ ଲଗାଣ ବର୍ଷାରେ ଭାଲିଆଖାଇ ନାଳରେ ପାଣି ନିଷ୍କାସନ ହୋଇ ନ ପାରି ଚାଷ ଜମିରେ ପାଣି ଜମି ରହିଛି । ଫଳରେ ଧାନ ତଳି ପଚିନଷ୍ଟ ହେବାକୁ ବସିଲାଣି ।
ବର୍ଷା ପାଣି ଯଦି ନିଷ୍କାସନ ନ ହୁଏ । ତେବେ ଚଳିତ ବର୍ଷ ଏହି ଅଞ୍ଚଳର ଶହ ଶହ ଏକର ଚାଷ ଜମି ପଡିଆ ପଡ଼ିଯିବ l ସେଥିପାଇଁ ସରକାର ଦାୟୀ ରହିବ l କାହିଁକି ନା ଭାଲିଆ ଖାଇ ନାଳର ପୁନଃରୁଦ୍ଧାର ପାଇଁ ଚାଷୀମାନେ ଦୀର୍ଘଦିନ ହେଲା ଅଭିଯୋଗ କରି ଆସୁଛନ୍ତି । ହେଲେ ଚାଷୀଙ୍କ ଦାବି କେହି ଶୁଣିଲେ ନାହିଁ l ଯାହା ଫଳରେ ନାଳରେ ପାଣି ଯିବା ପରିବର୍ତ୍ତେ ଗାଁ ମୁହାଁ ହେଉଛି ବର୍ଷା ପାଣି l