ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଲକର ପାଟପୁର ଗ୍ରାମରେ ବାପା-ମାଙ୍କୁ ହରାଇଥିବା ତିନି ଜଣ ନିରାଶ୍ରୟ ଶିଶୁଙ୍କୁ ସହାୟତାର ହାତ ବଢ଼ାଇଛି ଅଗ୍ରଣୀ ସ୍ୱେଚ୍ଛାସେବୀ ସଂସ୍ଥା ‘ଅରୁଣା’। ଏହି ବିଷୟ ଜଣାପଡିବା ପରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ ଓ ଅରୁଣାର ନିର୍ଦ୍ଦେଶକ ଲୋକନାଥ ମିଶ୍ର କିପରି ଏହି ମହାମାରୀ ସମୟରେ ଶିଶୁଙ୍କୁ ସେମାନଙ୍କ ମୌଳିକ ଅଧିକାରରୁ ଯେପରି ବଞ୍ଚିତ ନହେବେ, ସେ ଦିଗରେ ଦୃଷ୍ଟି ଦେବା ପାଇଁ ନିଷ୍ପତ୍ତି ନେଇଥିଲେ ।
ଏହାକୁ ନେଇ ଅରୁଣାର ସମ୍ପାଦିକା ସୌଦାମିନୀ ରଥଙ୍କ ନେତୃତ୍ୱରେ ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ, ତହସିଲଦାର ଶ୍ରୀନିବାସ ବେହେରା, ସିଡିପିଓ ଅର୍ଚ୍ଚନା କହ୍ନର ଓ ସୁସ୍ମିତା ଭୋଇ ଉକ୍ତ ପରିବାର ସହ ସାକ୍ଷାତ କରିଥିଲେ । ଏହି ଅବସରରେ ତାଙ୍କ ମାତୃ ବିୟୋଗର ଦୁଃଖ ପ୍ରକାଶ କରିବା ସହ ସହାନୁଭୂତି ପ୍ରଦାନ କରିଥିଲେ । ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅରୁଣା ପାଖରୁ ଉକ୍ତ ପରିବାରକୁ ଏକ ମାସ ପର୍ଯ୍ୟନ୍ତ ରାସନ ସାମଗ୍ରୀ କିଟ୍ ପ୍ରଦାନ କରାଯାଇଥିଲା । ଯେଉଁଥରେ ସୋୟାବିନ, ଚିନି, ଚୁଡା, ଖାଇବା ତେଲ, ବିସ୍କୁଟ, ଛତୁଆ, ମଟର ଚଣା, ଡାଲି, ବୁଟ, ସାବୁନ, ମାସ୍କ ଲୁଣ, ମସଲା ଭଳି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ମାନ ରହିଛି । ଏହାକୁ ଆଗାମୀ ୫ମାସ ଯାଏଁ ଯୋଗାଇ ଦିଆଯିବ ବୋଲି ଅରୁଣାର ନିର୍ଦ୍ଦେଶକ ଲୋକନାଥ ମିଶ୍ର ସୂଚନା ଦେଇଛନ୍ତି ।