ବ୍ରହ୍ମପୁର:ବ୍ରହ୍ମପୁର ସହର ଉପକଣ୍ଠ ସୁକୁଣ୍ଡା ଅଞ୍ଚଳର ପାହାଡ଼ଘେରା ଜଙ୍ଗଲ ମଧ୍ୟରେ ଅବସ୍ଥିତ ଅଘୋରୀ ମଠ ବିକାଶ ଆଢୁଆଳରେ । ଅସ୍ତିତ୍ୱ ଖୋଜୁଛି ପ୍ରାୟ ତିନି ଶହ ବର୍ଷର ପୁରାତନ ଏହି ମଠ । ଇଟିଭି ଭାରତରେ ଏ ସମ୍ପର୍କିତ ଖବର ପ୍ରକାଶିତ ହେବା ପରେ ଅଘୋରୀ ମଠର ବିକାଶ ପାଇଁ ଅଣ୍ଟା ଭିଡିଛନ୍ତି ବ୍ରହ୍ମପୁର ସହରର ବିଭିନ୍ନ ସଙ୍ଗଠନର ବୁଦ୍ଧିଜୀବୀ ଓ ସ୍ଥାନୀୟ ଗ୍ରାମବାସୀ । ସୁକୁଣ୍ଡାର ଅଘୋରୀ ମଠରେ ଶ୍ରୀଜୀଉମାନେ କେବଳ ଗୋଟିଏ ଓଳା ପୂଜା ପାଉଛନ୍ତି । ମଠର ଜରାଜୀର୍ଣ୍ଣ ଅବସ୍ଥା ଯୋଗୁଁ ରାତ୍ର ସମୟରେ ଏଠାକୁ ଭୟରେ କେହି ଯାଇପାରୁ ନଥିବାରୁ ଉପବାସ ରହୁଛନ୍ତି ଶ୍ରୀଜୀଉ । ଏଭଳି ଖବର ପ୍ରକାଶିତ ହେବା ପରେ ବ୍ରହ୍ମପୁର ସହରର ସଂସ୍କାରବାଦୀ ସଙ୍ଗଠନ ଓ ବରିଷ୍ଠ ନାଗରିକମାନେ ମଠ ନିକଟରେ ପହଞ୍ଚି ସେଠାକାର ସ୍ଥିତି ଅନୁଧ୍ଯାନ କରିବା ସହିତ ଗଞ୍ଜାମ ଜିଲ୍ଲା ପ୍ରଶାସନ, ପର୍ଯ୍ୟଟନ ବିଭାଗ ଏବଂ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ଦାବି କରିଛନ୍ତି ।
ପାହାଡ଼ ଘେରା ବଣଜଙ୍ଗଲ ମଧ୍ୟରେ କାହିଁ କେଉଁ କାଳରୁ ପୂଜା ପାଇ ଆସୁଛନ୍ତ ତିନି ଠାକୁର । କୁହାଯାଏ, ମହୁରି ରାଜା ଏଠାରେ ମହାପ୍ରଭୁଙ୍କୁ ସ୍ଥାପନ କରିବା ପରେ ସେହି ଦିନରୁ ପୂଜାର୍ଚ୍ଚନା ହୋଇଆସୁଛି । ରାଜ୍ୟର ପୁରୀ ପରେ ବ୍ରହ୍ମପୁର ସହର ଉପକଣ୍ଠ ସୁକୁଣ୍ଡା ଅଞ୍ଚଳର ଏହି ଦ୍ବିତୀୟ ଅଘୋରୀ ମଠ ରହିଛି । ହେଲେ ତାହା ପରିତ୍ୟକ୍ତ ଅବସ୍ଥାରେ । ଆଜବେଷ୍ଟର ଛାତ ଫାଟି ଆଁ କରିଥିବାରୁ ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର ସହିତ ବର୍ଷା ହେଲେ ପାଣି ଆସି ମହାପ୍ରଭୁଙ୍କ ଉପରେ ପଡୁଛି ।ସେବାୟତ କେବଳ ଦିନରେ ଗୋଟିଏ ବେଳା ଯେନତେନ ପ୍ରକାରେ ମଠକୁ ଆସି ପୂଜା କରି ଅନ୍ନ ଭୋଗ କରୁଛନ୍ତି । ଏଠି ବିଦ୍ୟୁତ୍ ସଂଯୋଗ ନହେବା ଯୋଗୁଁ ସଞ୍ଜ ନଇଁଲେ ମଠକୁ ଯିବା ସମ୍ଭବପର ହେଉନି । ଇଟିଭି ଭାରତ ଜରିଆରେ ଏହି ଖବର ଜାଣିପାରିବା ପରେ ଶେଷରେ ସ୍ଥାନୀୟ ଅଞ୍ଚଳବାସୀ ଓ ବୁଦ୍ଧିଜୀବୀ ଏକତ୍ରିତ ହୋଇଛନ୍ତି ।