ବ୍ରହ୍ମପୁର: କୋରୋନାର ନୂତନ ଷ୍ଟ୍ରେନକୁ ନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଉଭୟ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରୁ ଫେରୁଥିବା ପ୍ରବାସୀଙ୍କ ପାଇଁ ୧୪ ଦିନିଆ ସଙ୍ଗରୋଧ ରହିବା ବାଧ୍ୟତାମୂଳକ । ତେଣୁ ଓଡିଶା-ଆନ୍ଧ୍ର ସୀମାନ୍ତ ଦେଇ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳକୁ ଫେରୁଥିବା ବ୍ୟକ୍ତିବିଶେଷଙ୍କୁ RT-PCR ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ । ସୀମାନ୍ତର ଗିରିସୋଲା ଚେକ ପଏଣ୍ଟରେ ରହିଥିବା ପଞ୍ଜିକରଣ କେନ୍ଦ୍ରରେ କୋଭିଡ ନେଗେଟିଭ୍ ପ୍ରମାଣପତ୍ର କିମ୍ବା କୋଭିଡର ଦୁଇଟି ଡୋଜ୍ ନେଇଥିବା ପ୍ରମାଣପତ୍ର ଦାଖଲ କରିବାକୁ କୁହାଯାଇଛି ।
ଏପରିକି ପ୍ରଶାସନ ପକ୍ଷରୁ ୧୪ ଦିନିଆ କ୍ବାରେଣ୍ଟାଇନ୍ ବ୍ୟବସ୍ଥା କରାଯିବା ସହିତ ସେଠାରେ ରହିବା, ଖାଇବା ଏବଂ ଚିକିତ୍ସା ସୁବିଧା କରାଯାଇଛି । ଏପରିକି ବିଭିନ୍ନ ଗଳାବାଟ ଦେଇ ଜିଲ୍ଲାକୁ କେତେକ ପ୍ରବାସୀ ଲୁଚିଛପି ଆସିଥିବା କୁହାଯାଉଥିବାରୁ ସେମାନେ ପଞ୍ଚାୟତ କାର୍ଯ୍ୟାଳୟ କିମ୍ବା ସହରାଞ୍ଚଳ ଏନଏସିରେ ପଞ୍ଜିକୃତ କରାଇବେ । ଏହାସହ ହୋମ୍ କ୍ବାରେଣ୍ଟାଇନରେ ରହିବାକୁ ଆବେଦନ କରିବାକୁ ଭିଡିଓ ବାର୍ତ୍ତା ମାଧ୍ୟମରେ ଅନୁରୋଧ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ।