ବ୍ରହ୍ମପୁର:ଆନ୍ଦୋଳନକୁ ଓହ୍ଲାଇଲା ପ୍ରାଣୀ ଚିକିତ୍ସକ ସଂଘ । ଦୀର୍ଘ ୨୨ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ରାଜ୍ୟରେ ପ୍ରାଣୀ ଚିକିତ୍ସକକୁ ସରକାର ଅବହେଳା କରିଆସୁଥିବା ଅଭିଯୋଗ । ସେମାନଙ୍କୁ ପଦୋନ୍ନତି ନମିଳିବା ଏବଂ ବିଭାଗର ରୂପାନ୍ତରୀକରଣ ସମେତ 4 ଦଫା ଦାବି ନେଇ ଆଜି ଠାରୁ ଆନ୍ଦୋଳନରେ ବସିଛନ୍ତି ପ୍ରାଣୀ ଚିକିତ୍ସକ । ବ୍ରହ୍ମପୁର ଠାରେ ଗଞ୍ଜାମ ଜିଲ୍ଲାର କାର୍ଯ୍ୟରତ ସମସ୍ତ ପ୍ରାଣୀ ଚିକିତ୍ସକ କଳାବ୍ୟାଚ ପରିଧାନ କରିଥିଲେ । ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛି ସଂଘ ।
ମୁଖ୍ୟତଃ ପ୍ରାଣୀ ଚିକିତ୍ସା ସେବା ବ୍ୟବସ୍ଥାରେ ବ୍ୟାପକ ରୂପାନ୍ତରଣର ଏବଂ ବିଭିନ୍ନ ଦାବି ସମ୍ପର୍କରେ ସରକାରଙ୍କୁ ବାରମ୍ୱାର ଅବଗତ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ପ୍ରାଣୀ ଚିକିତ୍ସକ । ଏଥିପାଇଁ ସଂଘ ଆହ୍ଵାନରେ ଜିଲ୍ଲାର ସମସ୍ତ ପ୍ରାଣୀ ଚିକିତ୍ସକ ସାମୂହିକ ଛୁଟିରେ ଯାଇ ଧାରଣାରେ ଦେଇଥିବା ଦେଖାଯାଇଛି । ମୁଖ୍ୟତଃ ପ୍ରାଣୀ ପାଳକମାନେ ନିଶୁଳ୍କ ଚିକିତ୍ସା ସେବା, ୨୪ ଘଣ୍ଟିଆ ବିଶେଷଜ୍ଞ ସେବା, ରେଫରାଲ ସୁବିଧା ସେବା, ଦ୍ବାରଦେଶରେ ଚିକିତ୍ସା ଇତ୍ୟାଦି ଦାବି କରୁଥିବାବେଳେ ସ୍ଵାଧୀନତାର ୭୫ ବର୍ଷ ପରେ ମଧ୍ୟ ବିଭାଗରେ ଏପରି ବ୍ୟବସ୍ଥା ନଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ।
ରାଜ୍ୟରେ ୧୯୧୦ ଡାକ୍ତରଙ୍କ କାର୍ଯ୍ୟ କରିବା ସ୍ଥାନରେ ମାତ୍ର ୧୩୦୦ ଡାକ୍ତର ଏହି କାର୍ଯ୍ୟ କରୁଛନ୍ତି । ଚାକିରି କ୍ଷେତ୍ରରେ ପଦୋନ୍ନତିର ସୁବିଧା ନଥିିବାରୁ ସେମାନଙ୍କୁ ଏହା ଅନେକ ମାତ୍ରାରେ ହତୋତ୍ସାହିତ କରୁଥିବା କହିଛନ୍ତି ଆନ୍ଦୋଳନକାରୀ । ଏପରିକି ଦୀର୍ଘ ୨୨ ରୁ୨୩ ବର୍ଷ ଧରି ଗୋଟିଏ ଦରମା ହାରରେ କାର୍ଯ୍ୟ କରିବାକୁ ପଡୁଛି । ପାଖାପାଖି ୪୦ ପ୍ରତିଶତ ଅଧିନସ୍ଥ କର୍ମଚାରୀ ପଦବୀ ମଧ୍ୟ ଖାଲି ପଡିଛି । ଯାହାକି ପ୍ରାଣୀ ଚିକିତ୍ସକ ମାନଙ୍କୁ ଅଧିଏକ ଚାପଗ୍ରସ୍ତ କରିଛି । ସେହିପରି କାର୍ଯ୍ୟ ସମୟ ପରେ ଓ ଛୁଟି ଦିନରେ ମଧ୍ୟ ସରକାରୀ କାର୍ଯ୍ୟ ପାଇଁ ବାଧ୍ୟ କରାଯିବା, କାର୍ଯ୍ୟସମୟ ପରେ ପ୍ରାଇଭେଟ ପ୍ରାକ୍ଟିସ କରୁଥିବା ପ୍ରାଣୀ ଚିକିତ୍ସକମାନଙ୍କୁ ବିଭିନ୍ନ ପ୍ରକାରେ ହଇରାଣ ହରକତ କରାଯିବା ଯୋଗୁଁ ସେମାନେ ଦୁଶ୍ଚିନ୍ତାରେ ରହୁଛନ୍ତି ବୋଲି କହିଛନ୍ତି ।