ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଜାହାଡା ପଞ୍ଚାୟତର ଜାହାଡା ଗ୍ରାମର ଦୁଇ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛନ୍ତି । ଦିନେ ଏହି ଦୁଇ ଶିକ୍ଷକ ସ୍କୁଲରେ ଭଲ ମଣିଷଟିଏ ହେବାକୁ ପିଲାଙ୍କୁ ଶିକ୍ଷା ଦେଉଥିଲେ । ଅବସର ନେବାପରେ ଜାହାଡା ପଞ୍ଚାୟତକୁ ସଜାଡ଼ିବାକୁ ଲାଗିପଡିଛନ୍ତି । ଉଭୟେ ଦୁର୍ନୀତି ମୁକ୍ତ ପଞ୍ଚାୟତ ଗଠନ କରିବାକୁ ଗାଁକୁ ଗାଁ, ଘରକୁ ଘର ବୁଲି ଲୋକଙ୍କ ପାଖରେ ଭୋଟ ଭିକ୍ଷା କରୁଛନ୍ତି । ଉଭୟ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମଧ୍ୟରେ କଡ଼ା ଟକ୍କର ହେଉଥିବା ଦେଖିବାକୁ ମିଳୁଛି, କେହି କାହାଠାରୁ କମ ନୁହନ୍ତି । ଯାହାଡ଼ା ପଞ୍ଚାୟତ 6ଟି ଗ୍ରାମକୁ ନେଇ ଗଠିତ । ଯାହାଡା, କଣଭାଗ, ମୁକ୍ତାପୁଞ୍ଜି, ଦଶମାଇଲି, କୁଶପଡା, ଥୁରୁଥୁରାକୁ ନେଇ ଗଠିତ ହୋଇଥିବା ବେଳେ ଜନସଂଖ୍ୟା 9000 ଏବଂ ୱାର୍ଡ 17 ଟି ରହିଛି । ମୋଟ ଭୋଟରଙ୍କ ସଂଖ୍ୟା 6231 ଥିବାବେଳେ ସେଥିରୁ ମହିଳା ଭୋଟର 2934, ପୁରୁଷ ଭୋଟର 3297 ଅଛନ୍ତି ।
29 ନମ୍ବର ଜୋନ ପାଇଁ ଏହି ପଞ୍ଚାଯତଟି ମୁଖ୍ୟ ଭୂମିକା ନେଇଥାଏ । ଏହି ପଞ୍ଚାଯତର ଉନ୍ନତି ପାଇଁ ସରପଞ୍ଚ ପାର୍ଥୀ ପାଇଁ ଦୁଇଜଣ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମଇଦାନକୁ ଓହ୍ଲାଇଛନ୍ତି । ସତ୍ୟବାଦୀ ସ୍ଵାଇଁ ମଶାଣିଭାଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଥିଲେ । ସେ ଜୀବନ କାଳରେ ବହୁ ପିଲାଙ୍କ ଭବିଷ୍ୟତ ଗଢିଛନ୍ତି । ବର୍ତମାନ ପଞ୍ଚାୟତରେ ବହୁ ସମସ୍ୟା ଥିବାବେଳେ ବହୁ ଲୋକ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି, ସେମାନଙ୍କ ପାଇଁ ସବୁ ସୁବିଧା କରିବେ ବୋଲି ସେ କହିଛନ୍ତି ।